ଭୁବନେଶ୍ୱର: ଓଡ଼ିଶାରୁ ବିଦାୟ ନେଉଛି ମୌସୁମୀ। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜିଠାରୁ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରୁ ମୌସୁମୀ ଅପସାରଣ ଆରମ୍ଭ ହୋଇଥିବା ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।
ତାଙ୍କ କହିବାନୁସାରେ, ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ବର୍ତ୍ତମାନ ପାଣିପାଗ ପରିସ୍ଥିତି ଅନୁକୂଳ ରହିଛି। ଆଗାମୀ ୩ରୁ ୪ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରୁ ମୌସୁମୀ ସମ୍ପୂର୍ଣ୍ଣ ଭାବେ ଅପସାରିତ ହେବାର ସମ୍ଭାବନା ରହିଛି।
ମୌସୁମୀ ବିଦାୟ ନେବା ସହିତ ରାଜ୍ୟରେ ବର୍ଷାର ପ୍ରଭାବ ଧୀରେ ଧୀରେ କମିବ। ଏହା ସହ ରାତି ଓ ସକାଳ ସମୟରେ ହାଲୁକା ଥଣ୍ଡା ଅନୁଭୂତ ହେବା ଆରମ୍ଭ ହୋଇପାରେ। ଫଳରେ ରାଜ୍ୟରେ ଶୀତ ଋତୁର ଆଗମନର ସଙ୍କେତ ମିଳିବ।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଓଡ଼ିଶାରେ ମୌସୁମୀ ବର୍ଷା ସ୍ୱାଭାବିକ ତୁଳନାରେ ଯଥେଷ୍ଟ ଅଧିକ ରହିଛି। ଲଗାତାର ଓ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏକାଧିକ ଥର ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ଏବେ ମୌସୁମୀର ପ୍ରତ୍ୟାବର୍ତ୍ତନ ସହିତ ବର୍ଷାର ପ୍ରଭାବ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

