ଭୁବନେଶ୍ୱର: ଅକ୍ଟୋବର ୧୨ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ଆଣ୍ଡାମାନ ସାଗରରେ ଲଘୁଚାପର ରୂପ ନେଇପାରେ। ତେବେ ଏହି ସମ୍ଭାବ୍ୟ ସିଷ୍ଟମ କେତେ ଶକ୍ତିଶାଳୀ ହେବ ଏବଂ ଏହାର ଗତିପଥ କେଉଁ ଦିଗରେ ରହିବ, ତାହା ଏବେଠାରୁ ନିଶ୍ଚିତ ଭାବେ କହିବା ସମ୍ଭବ ନୁହେଁ।
ବରିଷ୍ଠ ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲର ବିଶ୍ଳେଷଣ କରି ଏଭଳି ଆକଳନ କରିଛନ୍ତି। ତାଙ୍କ ଅନୁସାରେ, ବଙ୍ଗୋପସାଗରରେ ଏକ ପାଣିପାଗ ସିଷ୍ଟମ ଗଠନର ସମ୍ଭାବନା ପୂର୍ବାପେକ୍ଷା ବଢ଼ିଛି।
୧୪ରୁ ୨୦ ମଧ୍ୟରେ ବାତ୍ୟା ସମ୍ଭାବନା?
ନ୍ୟାସନାଲ ଓସେନିକ୍ ଆଣ୍ଡ ଆଟମୋସ୍ଫିୟରିକ୍ ଆଡମିନିଷ୍ଟ୍ରେସନ୍ (NOAA)ର ଆକଳନ ଅନୁସାରେ, ଅକ୍ଟୋବର ୧୪ରୁ ୨୦ ତାରିଖ ମଧ୍ୟରେ ଉତ୍ତର ଭାରତ ମହାସାଗର ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ଗଠନର ସମ୍ଭାବନା ରହିଛି। ଏହାର ସମ୍ଭାବନା ପ୍ରାୟ ୨୦ରୁ ୪୦ ପ୍ରତିଶତ ବୋଲି ଆକଳନ କରାଯାଇଛି। ଲଘୁଚାପ ଗଠନ ପାଇଁ ବର୍ତ୍ତମାନ ପାଣିପାଗୀୟ ପରିସ୍ଥିତି ମଧ୍ୟ ଅନୁକୂଳ ରହିଛି।
ତେବେ ସମ୍ଭାବ୍ୟ ଲଘୁଚାପ କେଉଁ ଅଞ୍ଚଳରେ ଗଠନ ହେବ ଏବଂ ପରବର୍ତ୍ତୀ ସମୟରେ କେଉଁ ଦିଗକୁ ଗତି କରିବ, ତାହା ଏବେଠାରୁ ଆକଳନ କରିବା କଷ୍ଟକର।
ବାୟୁ ପ୍ରବାହ ବଦଳିଲେ ବଢ଼ିପାରେ ଶକ୍ତି
ପାଣିପାଗବିତଙ୍କ ଅନୁସାରେ, ଭର୍ଟିକାଲ ୱିଣ୍ଡ ସିଅର କମିଲେ ସମ୍ଭାବ୍ୟ ଲଘୁଚାପ ଅଧିକ ଶକ୍ତିଶାଳୀ ହୋଇପାରେ। ବିଶେଷକରି ୮୫୦ରୁ ୨୦୦ ଏଚପିଏ ସ୍ତରରେ ପବନର ବେଗ ଓ ଦିଗର ପାର୍ଥକ୍ୟ କମିଲେ ପରିବେଶ ସିଷ୍ଟମ ପାଇଁ ଅଧିକ ଅନୁକୂଳ ହେବ। ଏହା ଫଳରେ ଲଘୁଚାପ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ରହିବ।
ତେବେ ଅକ୍ଟୋବର ୧୦ରୁ ୧୨ ତାରିଖ ମଧ୍ୟରେ ସମ୍ଭାବ୍ୟ ଲଘୁଚାପର ଶକ୍ତି ଓ ଗତିପଥ ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରେ।
ଓଡ଼ିଶା ପାଇଁ ଏବେ ନାହିଁ ବିଶେଷ ବିପଦ
ବଙ୍ଗୋପସାଗର ଉପରେ ମୌସୁମୀ ବାୟୁ ଦୁର୍ବଳ ହେବା ସହ ପବନର ଢାଞ୍ଚାରେ ପରିବର୍ତ୍ତନ ଦେଖାଦେଉଛି। ଏହାସହ ଭାରତ ମହାସାଗର ଉପରେ ମାଡେନ-ଜୁଲିଆନ୍ ଓସିଲେସନ୍ (MJO) ମଧ୍ୟ ଅନୁକୂଳ ହେବାର ସମ୍ଭାବନା ରହିଛି। ECMWF ଓ GEFS ମଡେଲର ଆକଳନ ଅନୁସାରେ, ଲଘୁଚାପ ଗଠନ ପାଇଁ ପରିବେଶ ଅନୁକୂଳ ରହିଛି।
ତେବେ ଏବେ ସୁଦ୍ଧା ଓଡ଼ିଶା ଉପରେ କୌଣସି ସିଧାସଳଖ ବିପଦର ଆଶଙ୍କା ନାହିଁ। ତେଣୁ ଏହାକୁ ନେଇ ଭୟଭୀତ ନହୋଇ ପରବର୍ତ୍ତୀ ପାଣିପାଗ ଆକଳନ ଉପରେ ନଜର ରଖିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି।

