ଭୁବନେଶ୍ୱର, ୨୨/୦୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଧୀରେ ଧୀରେ ଶକ୍ତିଶାଳୀ ହେଉଛି। ମଙ୍ଗଳବାର ସକାଳ ସାଢ଼େ ୮ଟା ସମୟରେ ଏହା ଗୋପାଳପୁରଠାରୁ ପ୍ରାୟ ୨୦୦ କିଲୋମିଟର ଦକ୍ଷିଣ-ପୂର୍ବରେ ରହିଥିଲା। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ଅନୁଯାୟୀ, ଅବପାତଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୩ ତାରିଖ ରାତିରୁ ୨୪ ତାରିଖ ଭୋର ମଧ୍ୟରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ।
ଏହାର ପ୍ରଭାବରେ ୨୨ରୁ ୨୬ ସେପ୍ଟେମ୍ବର ଯାଏଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିବ। ବିଶେଷକରି ୨୩-୨୪ ତାରିଖରେ କୋରାପୁଟ, ଗଜପତି ଓ ଗଞ୍ଜାମ ପାଇଁ ଏବଂ ୨୪-୨୫ ତାରିଖରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି।
ସମୁଦ୍ରରେ ପବନର ବେଗ ୫୫-୬୫ କିମି ପ୍ରତିଘଣ୍ଟା ଏବଂ ଝଟକା ୭୫ କିମି ପର୍ଯ୍ୟନ୍ତ ପହଞ୍ଚିପାରେ। ମତ୍ସ୍ୟଜୀବୀଙ୍କୁ ୨୪ ସେପ୍ଟେମ୍ବର ଯାଏଁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି।
ସମ୍ଭାବ୍ୟ ପରିସ୍ଥିତି ମୁକାବିଲା ପାଇଁ ୩୩ଟି ଓଡ୍ରାଫ୍ ଟିମ୍ ନିୟୋଜିତ ହୋଇଛି। ଏଥିରୁ ୨୪ଟି ଟିମ୍ ବିଭିନ୍ନ ସମ୍ବେଦନଶୀଳ ଜିଲ୍ଲାରେ ମୁତୟନ ହୋଇଥିବା ବେଳେ ୯ଟି ଟିମ୍କୁ ରିଜର୍ଭ ରଖାଯାଇଛି। ଭୂସ୍ଖଳନପ୍ରବଣ ଅଞ୍ଚଳ ଉପରେ ମଧ୍ୟ ପ୍ରଶାସନ ନଜର ରଖିଛି।

