ପାରାଦୀପରେ ଶିଳ୍ପ ବଢ଼ୁଛି, ହେଲେ ସ୍ଥାନୀୟ ଲୋକଙ୍କୁ ମିଳୁନି ନିଯୁକ୍ତି! ନିଜ ସରକାରକୁ ଘେରିଲେ ବିଜେପି ବିଧାୟକ

ଭୁବନେଶ୍ୱର: ପାରାଦୀପ ଏବେ ଓଡ଼ିଶାର ଏକ ପ୍ରମୁଖ ଶିଳ୍ପାଞ୍ଚଳ। ଏଠାରେ ଗୋଟିଏ ପରେ ଗୋଟିଏ ବଡ଼ ଶିଳ୍ପାନୁଷ୍ଠାନ ଗଢ଼ି ଉଠୁଛି। କୋଟି କୋଟି ଟଙ୍କାର ପୁଞ୍ଜିନିବେଶ ହେଉଛି। ହେଲେ ଏହି ଶିଳ୍ପାୟନର ପ୍ରକୃତ ଲାଭ ସ୍ଥାନୀୟ ଲୋକଙ୍କୁ ମିଳୁଛି ତ? ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଯୁବକଯୁବତୀଙ୍କୁ କେତେ ନିଯୁକ୍ତି ମିଳିଛି? ଏଭଳି ପ୍ରଶ୍ନ ଏବେ ବିଧାନସଭାରେ ଉଠିଛି।

ବିଧାନସଭାର ଶୀତକାଳୀନ ଅଧିବେଶନରେ ବୁଧବାର ଏହି ପ୍ରସଙ୍ଗ ଉଠାଇଛନ୍ତି ଜଗତସିଂହପୁରର ବିଜେପି ବିଧାୟକ ଅମରେନ୍ଦ୍ର ଦାସ। ନିଜ ଦଳର ସରକାରଙ୍କୁ ସେ ଏନେଇ ସିଧାସଳଖ ପ୍ରଶ୍ନ କରିଛନ୍ତି।

ପାରାଦୀପର ବିଭିନ୍ନ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଲୋକଙ୍କୁ ଆଶାନୁରୂପ ନିଯୁକ୍ତି ମିଳୁନଥିବା ଅଭିଯୋଗ କରିବା ସହ ଏହାର ସବିଶେଷ ତଥ୍ୟ ମାଗିଛନ୍ତି ବିଧାୟକ। କମ୍ପାନୀଗୁଡ଼ିକରେ କେତେ ସ୍ଥାନୀୟ ଲୋକ କାମ କରୁଛନ୍ତି, ସେମାନଙ୍କ ମଧ୍ୟରୁ କେତେ ଜଣ ସ୍ଥାୟୀ ଓ କେତେ ଜଣ ଅସ୍ଥାୟୀ କର୍ମଚାରୀ, ତାହାର ହିସାବ ଲୋଡ଼ିଛନ୍ତି। ଏଥିସହ ସ୍ଥାନୀୟ ଲୋକଙ୍କୁ କେତେ ଠିକା କାମ ମିଳିଛି, ସେନେଇ ମଧ୍ୟ ସରକାରଙ୍କଠାରୁ ଉତ୍ତର ଚାହିଁଛନ୍ତି।

କେବଳ ନିଯୁକ୍ତି ନୁହେଁ, ଶିଳ୍ପାନୁଷ୍ଠାନଗୁଡ଼ିକର CSR ପାଣ୍ଠି ଖର୍ଚ୍ଚକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଅମରେନ୍ଦ୍ର। ଗତ ୩ ବର୍ଷ ମଧ୍ୟରେ କମ୍ପାନୀଗୁଡ଼ିକ CSR ବାବଦରେ କେତେ ଅର୍ଥ ପାଇଛନ୍ତି ଏବଂ କେଉଁ କ୍ଷେତ୍ରରେ ଏହାକୁ ଖର୍ଚ୍ଚ କରିଛନ୍ତି, ତାହାର ହିସାବ ମାଗିଛନ୍ତି। ବିଶେଷକରି ଜଗତସିଂହପୁର ଜିଲ୍ଲା ଭିତରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଏବଂ ଜିଲ୍ଲା ବାହାରେ କେତେ ଅର୍ଥ ବିନିଯୋଗ ହୋଇଛି, ତାହା ଜାଣିବାକୁ ଚାହିଁଛନ୍ତି।

ତେବେ ଏହି ପ୍ରସଙ୍ଗରେ ରାଜନୈତିକ ଚର୍ଚ୍ଚା ମଧ୍ୟ ବଢ଼ିଛି। କାରଣ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯେଉଁ ମନ୍ତ୍ରୀଙ୍କୁ ଏହି ପ୍ରଶ୍ନ କରିଛନ୍ତି, ସେ ହେଉଛନ୍ତି ପାରାଦୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ। ଗୋଟିଏ ଜିଲ୍ଲାର ଦୁଇ ବିଜେପି ନେତାଙ୍କ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ କୌଣସି ମତଭେଦ ରହିଛି କି? ଏବେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ