ଭୁବନେଶ୍ୱର, ୨୨/୦୯: ଲଘୁଚାପ ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲାରେ ସମ୍ଭାବ୍ୟ ପ୍ରବଳ ବର୍ଷାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି। ଆଜିଠାରୁ ଆସନ୍ତା ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ।
ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ, ଶିଶୁ ବାଟିକାଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ। ଏଥିସହ ଜିଲ୍ଲାର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ଏହି ତିନି ଦିନ ବନ୍ଦ ରହିବ।
ତେବେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ଏନଆରଟିଏସ୍ ପରୀକ୍ଷା ଆଜି ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବ। ବିଦ୍ୟାଳୟ ବନ୍ଦ ଥିଲେ ମଧ୍ୟ ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ କୁହାଯାଇଛି।
ସମ୍ଭାବ୍ୟ ବର୍ଷା ଓ ଜଳବନ୍ଦୀ ଭଳି ପରିସ୍ଥିତି ପାଇଁ ବିଦ୍ୟାଳୟ କୋଠା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।
ଏଥିସହ ବିଦ୍ୟାଳୟଗୁଡ଼ିକୁ ୨୪ ଘଣ୍ଟା ଖୋଲା ରଖିବା ପାଇଁ ରୋଷ୍ଟର ଡ୍ୟୁଟି ବ୍ୟବସ୍ଥା କରିବାକୁ ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶକୁ ତୁରନ୍ତ ଓ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି।

