ଭୁବନେଶ୍ୱର, ୨୩/୦୮: ଓଡ଼ିଶାରେ ପୁଣି ଲଘୁଚାପର ପ୍ରଭାବ ଦେଖାଦେବାକୁ ଯାଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ଗଠନ ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ରବିବାରଠାରୁ ବର୍ଷାର ପରିମାଣ ବଢ଼ିବ। ଲଗାଣ ବର୍ଷାକୁ ନଜରରେ ରଖି ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଏସ୍ଆର୍ସି କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଉତ୍ତର ବଙ୍ଗୋପସାଗରରେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରବିବାର ସେହି ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି। ଏହା ପରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ତୀବ୍ର ହୋଇପାରେ।ରବିବାର ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହାଛଡ଼ା ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗୀର, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି, ଗଜପତି ଓ ଗଞ୍ଜାମର କେତେକ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ।
ସୋମବାର ଅର୍ଥାତ୍ ୨୪ ତାରିଖରେ ଉତ୍ତର ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବର୍ଷା ଜାରି ରହିବ। ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁରରେ ପ୍ରବଳରୁ ପ୍ରବଳତର ବର୍ଷା ସହ ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ବଲାଙ୍ଗୀରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୩ ଓ ୨୪ ତାରିଖରେ ବର୍ଷାର ପ୍ରଭାବ ଅଧିକ ରହିପାରେ। ଏହାପରେ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବାର ପୂର୍ବାନୁମାନ କରାଯାଇଛି।ଲଘୁଚାପ ପ୍ରଭାବରେ ସମୁଦ୍ର ମଧ୍ୟ ଅଶାନ୍ତ ରହିବ। ଓଡ଼ିଶା ଉପକୂଳରେ ପବନର ବେଗ ୩୫ରୁ ୪୫ କିମି ପ୍ରତି ଘଣ୍ଟା ରହିପାରେ ଏବଂ ଝଟକା ପବନର ବେଗ ୫୫ କିମି ପର୍ଯ୍ୟନ୍ତ ପହଞ୍ଚିପାରେ। ଏଥିପାଇଁ ୨୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି।
ସରକାରଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟର ବନ୍ୟା ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ତଥାପି ସମ୍ଭାବ୍ୟ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନକୁ ସଜାଗ ରହିବାକୁ କୁହାଯାଇଛି।ଅଗଷ୍ଟ ୧ରୁ ୨୨ ମଧ୍ୟରେ ରାଜ୍ୟରେ ହାରାହାରି ୨୭୨.୨ ମିମି ବର୍ଷା ହୋଇଛି। ସ୍ୱାଭାବିକ ବର୍ଷା ୨୫୨.୬ ମିମି ତୁଳନାରେ ଏହା ୭.୮ ପ୍ରତିଶତ ଅଧିକ। ସେହିପରି ଜୁନ୍ ୧ରୁ ଏପର୍ଯ୍ୟନ୍ତ ରାଜ୍ୟରେ ହାରାହାରି ୧୦୨୮ ମିମି ବର୍ଷା ହୋଇଥିବାବେଳେ ସ୍ୱାଭାବିକ ପରିମାଣ ୭୯୭ ମିମି। ଅର୍ଥାତ୍ ଏପର୍ଯ୍ୟନ୍ତ ସ୍ୱାଭାବିକଠାରୁ ପ୍ରାୟ ୨୯ ପ୍ରତିଶତ ଅଧିକ ବର୍ଷା ହୋଇଛି।ବର୍ତ୍ତମାନ ସୁଦ୍ଧା ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି। ରିଲିଫ୍ କ୍ୟାମ୍ପ, ଉଦ୍ଧାର କାର୍ଯ୍ୟ ଓ ବନ୍ୟା ମୁକାବିଲା ପାଇଁ ଏସ୍ଡିଆର୍ଏଫ୍କୁ ପର୍ଯ୍ୟାୟକ୍ରମେ ୧୧୦ କୋଟି, ୨୬ କୋଟି ଓ ୩୧.୫୫ କୋଟି ଟଙ୍କା ଦିଆଯାଇଛି। ଏହି ତିନିଟି କ୍ଷେତ୍ର ପାଇଁ ମୋଟ ୧୬୭ କୋଟି ୫୫ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି।

