ଭୁବନେଶ୍ୱର : ଇସ୍ତଫା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶିକ୍ଷା ବ୍ୟବସ୍ଥା ଏବଂ ନିଟ୍ ରେ ଅବ୍ୟବସ୍ଥା ପ୍ରସଙ୍ଗରେ ସେ ପଦ ଛାଡିଛନ୍ତି । ଏହି ଘଟଣାକୁ ୧୦ ଦିନ ବିତିଗଲାଣି । ହେଲେ ଏହା ମଧ୍ୟରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପରେ ବି ଇସ୍ତଫାର ଖଣ୍ଡା ଝୁଲୁଛି ।
ବିରୋଧୀ କଂଗ୍ରେସ ଏବଂ ବିଜୁ ଜନତା ଦଳର ଅଭିଯୋଗ ଅନୁସାରେ, ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି । ପିଲା ଅଧାରୁ ପାଠ ଛାଡୁଛନ୍ତି । ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ନାହାଁନ୍ତି । ସବୁଠାରୁ ବଡ କଥା ହେଲେ କି ପାଠ୍ୟ ପୁସ୍ତକରେ ତ୍ରୁଟି । ପିଲାଙ୍କୁ ବହି ଏବେଯାଏଁ ମିଳିନି । ଗତ ମାସେ ତଳେ ସ୍କୁଲ ପିଲାଙ୍କ ପାଠ୍ୟ ପୁସ୍ତକରେ ପ୍ରବଳ ତ୍ରୁଟି ସାମ୍ନାକୁ ଆସିଥିଲା । ପ୍ରାୟ 1000ରୁ ଅଧିକ ଭୁଲ ତଥ୍ୟ ରହିଥିଲା । ଯାହାକୁ ନେଇ ଅନେକ ଅଧିକାରୀ ଗିରଫ ବି ହୋଇଛନ୍ତି । ଖାଲି ଏତିକି ନୁହେଁ ସରକାରହଙ୍କ ଉପରେ ମଧ୍ୟ ଅଙ୍ଗୁଳି ନିର୍ଦେଶ ଆସିଛି । ଏସବୁ ପରେ ସରକାର ଘଟଣାର ତଦନ୍ତ କରିଥିଲେ । ଦୋଷୀଙ୍କୁ ଦଣ୍ଡ ଦିଆଯାଇ ପିଲାଙ୍କୁ ପାଠ୍ୟପୁସ୍ତକ ମିଳିବ ବୋଲି ଆଶ୍ୱାସନା ଦେଇଥିଲେ । ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଘଟଣାକୁ ଗୁରୁତର ସହ ନେଇଥିଲେ ।
କିନ୍ତୁ ଏବେ ଯଥା ପୂର୍ବଂ ତଥା ପରଂ ସ୍ଥିତି । କାରଣ ପ୍ରଥମ ଶ୍ରେଣୀ ବହିରେ ପୁଣି ସାମ୍ନାକୁ ଆସିଛି ଭୁଲ । ଓଡିଆ ସ୍ୱରବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣ ସହ ଜାତୀୟ ସଙ୍ଗୀତରେ ବି ତ୍ରୁଟି ରହିଛି । ଯାହାକୁ ନେଇ ବିରୋଧୀ ପ୍ରସଙ୍ଗ କଲେଣି । ଏହାସହ ବିଭାଗୀୟ ମନ୍ତ୍ରୀଙ୍କୁ ଦାୟୀ କରି ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ କହୁଛନ୍ତି । ହେଲେ ମନ୍ତ୍ରୀ ନଛୋଡ ବନ୍ଧା । ଏହା ବିରୋଧୀଙ୍କ ଷଡଯନ୍ତ୍ର ବୋଲି ସେ କହୁଛନ୍ତି ।
ତେବେ ଦେଖିବାକୁ ବାକି ରହିଲା କେତେ ଦିନ ଚାଲିବ ଏମିତି । କଣ ଧର୍ମେନ୍ଦ୍ର ପ୍ରଧାନଙ୍କଠୁ ରାଜ୍ୟର ଶିକ୍ଷାମନ୍ତ୍ରୀ କିଛି ଶିଖିଲେନି କି । ନା ଅଦୃଶ୍ୟ ଶକ୍ତି ତାଙ୍କୁ ରକ୍ଷା କରୁଛି । ଏମିତି ବାରମ୍ବାର ଭୁଲ କ୍ଷମଣୀୟ ନୁହେଁ । ପିଲାଙ୍କ ଭବିଷ୍ୟତ ସହ ଖେଳିବା ସହ ସମାନ । ଯାହାର ନକରାତ୍ମକ ପ୍ରଭାବ ସେମାନଙ୍କ ପାଠ ପଢା ଉପରେ ପଡୁଛି । ତେବେ ସେ ଯାହା ବି ହେଉ ନା କାହିଁକି ପିଲାଙ୍କ ପାଠପଢାରେ ଯେପରି କିଛି ଅସୁବିଧା ନହେଉ ତାହା ଓଡିଶାବାସୀ ଚାହାଁନ୍ତି ।

