ଲୋକଙ୍କ ଟଙ୍କା ଶୋଷି ନେବେ ସରକାର, ଏବେ ଗ୍ୟାସ୍ ସିଲିଣ୍ଡର ପାଇଁ ଦେବାକୁ ପଡ଼ିବ ଟ୍ୟାକ୍ସ

ନୂଆଦିଲ୍ଲୀ : ରନ୍ଧନ ଗ୍ୟାସ୍ ବ୍ୟବହାରକାରୀଙ୍କ ପାଇଁ ଆସିପାରେ ଆଉ ଏକ ବଡ଼ ଝଟକା। ଇନ୍ଧନ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଅଶୋଧିତ ତୈଳ ସହ ଏଲପିଜି ଓ ଏଲଏନଜିର ବୃହତ୍ ଭଣ୍ଡାର ଗଠନ କରିବାକୁ ଯୋଜନା କରୁଛନ୍ତି। ଏହି ମେଗା ପ୍ରକଳ୍ପ ପାଇଁ ପ୍ରାୟ ୪୨ ଅରବ ଡଲାର (ପ୍ରାୟ ୪ ଲକ୍ଷ କୋଟି ଟଙ୍କା) ଖର୍ଚ୍ଚ ହେବାର ଆକଳନ କରାଯାଇଛି।

ରୟଟର୍ସର ରିପୋର୍ଟ ଅନୁସାରେ, ଏହି ଅର୍ଥ ସଂଗ୍ରହ ପାଇଁ ଏଲପିଜି ଓ ପ୍ରାକୃତିକ ଗ୍ୟାସ୍ ବ୍ୟବହାରକାରୀଙ୍କ ଉପରେ ସାମାନ୍ୟ ଶୁଳ୍କ ଲାଗୁ କରିବା ପ୍ରସ୍ତାବ ବିଚାରାଧୀନ ରହିଛି। ପେଟ୍ରୋଲିୟମ ମନ୍ତ୍ରାଳୟ କେଜି ପିଛା ୧.୨୯ ଟଙ୍କା ଏଲପିଜି ଉପରେ ଶୁଳ୍କ ଲାଗୁ କରିବାକୁ ବିଚାର କରୁଥିବା ଜଣାପଡ଼ିଛି। ଏହା ଲାଗୁ ହେଲେ ଘରୋଇ ଏଲପିଜି ସିଲିଣ୍ଡର ଦାମ ପ୍ରାୟ ୧୮ ଟଙ୍କା ବଢ଼ିପାରେ। ସେହିପରି ପ୍ରାକୃତିକ ଗ୍ୟାସ୍ ଉପରେ ଘନ ମିଟର ପିଛା ୧.୪୩ ଟଙ୍କା ଶୁଳ୍କ ଲାଗିପାରେ।

ସୂତ୍ର ମୁତାବକ, ଆଗାମୀ ଦଶ ବର୍ଷରେ ଦେଶକୁ ପ୍ରାୟ ୨୮ ମିଲିୟନ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ, ୯ ମିଲିୟନ ଟନ୍ ଏଲଏନଜି ଏବଂ ୪ ମିଲିୟନ ଟନ୍ ଏଲପିଜି ଭଣ୍ଡାରର ଆବଶ୍ୟକତା ପଡ଼ିବ ବୋଲି ସରକାର ଆକଳନ କରିଛନ୍ତି। ଏହି ଭଣ୍ଡାର ଦ୍ୱାରା ଯୁଦ୍ଧ, ବୈଶ୍ୱିକ ସଙ୍କଟ କିମ୍ବା ଇନ୍ଧନ ଯୋଗାଣରେ ବାଧା ସୃଷ୍ଟି ହେଲେ ଦେଶର ଆବଶ୍ୟକତା ପୂରଣ କରିବା ସହଜ ହେବ।

ପ୍ରସ୍ତାବିତ ପ୍ରକଳ୍ପରେ ମୋଟ ଖର୍ଚ୍ଚର ପ୍ରାୟ ଅଧା ଅର୍ଥ ଭଣ୍ଡାର ଓ ଭିତ୍ତିଭୂମି ନିର୍ମାଣରେ ବ୍ୟୟ ହେବ। ବଳକା ଅର୍ଥରେ ଅଶୋଧିତ ତୈଳ, ଏଲପିଜି ଓ ଏଲଏନଜି ମହଜୁଦ ରଖାଯିବ। ସରକାରଙ୍କ ଆକଳନ ଅନୁସାରେ, ଏହି ଶୁଳ୍କ ମାଧ୍ୟମରେ ପ୍ରତିବର୍ଷ ପ୍ରାୟ ୧.୫ ବିଲିୟନ ଡଲାର ଆଦାୟ ହୋଇପାରେ।

ତେବେ ଏହି ପ୍ରସ୍ତାବ ଏବେ ବିଭିନ୍ନ ମନ୍ତ୍ରଣାଳୟରେ ବିଚାରାଧୀନ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍ ଏପର୍ଯ୍ୟନ୍ତ ଏଥିରେ ଅନୁମୋଦନ ଦେଇନାହାଁନ୍ତି। ତେଣୁ ଶୁଳ୍କ ବୃଦ୍ଧି କିମ୍ବା ଗ୍ୟାସ୍ ଦାମ ବଢ଼ିବା ନେଇ ସରକାରଙ୍କ ପକ୍ଷରୁ କୌଣସି ଆଧିକାରିକ ଘୋଷଣା ହୋଇନାହିଁ। ପ୍ରସ୍ତାବକୁ ଅନୁମୋଦନ ମିଳିଲେ ମାତ୍ର ଏହା କାର୍ଯ୍ୟକାରୀ ହେବ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ