ଭୁବନେଶ୍ୱର, ୩୦/୦୯: ଓଡ଼ିଶାରେ ଆଗକୁ ଦୁଇଟି ବନ୍ଦ ଡାକରା। ଆଜି, ସେପ୍ଟେମ୍ବର ୩୦ରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ଅକ୍ଟୋବର ୮ରେ ୧୨ ଘଣ୍ଟିଆ ରାଜ୍ୟବ୍ୟାପୀ ବନ୍ଦ ପାଇଁ ଆହ୍ୱାନ କରିଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି।
୬ ଦଫା ଦାବି ନେଇ ନବନିର୍ମାଣ କୃଷକ ସଂଗଠନ ଏହି ବନ୍ଦ ଡାକରା ଦେଇଛି। ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କହିଛନ୍ତି ଯେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ୧୬୭୮ଟି ଭୁଲ୍ ରହିଛି। ଏହି ପ୍ରସଙ୍ଗକୁ ନେଇ ସେ ଗଣଶିକ୍ଷା ବିଭାଗର ଦାୟିତ୍ୱରେ ଥିବା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାଠ୍ୟପୁସ୍ତକରେ ଭୁଲ୍ ଥିବା ସ୍ୱୀକାର କରିଥିବା ସତ୍ତ୍ୱେ ମନ୍ତ୍ରୀଙ୍କ ବିରୋଧରେ କାହିଁକି ପଦକ୍ଷେପ ନିଆଯାଉନାହିଁ ବୋଲି ଅକ୍ଷୟ ପ୍ରଶ୍ନ କରିଛନ୍ତି। ଶୀଘ୍ର ମନ୍ତ୍ରୀ ଇସ୍ତଫା ଦିଅନ୍ତୁ କିମ୍ବା ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ ବୋଲି ସେ ଦାବି କରିଛନ୍ତି।
ଅନ୍ୟପଟେ, ଅକ୍ଟୋବର ୮ରେ କଂଗ୍ରେସ ଦେଇଥିବା ୧୨ ଘଣ୍ଟିଆ ବନ୍ଦରେ ବିଭିନ୍ନ ପ୍ରସଙ୍ଗ ଉଠାଯାଇଛି। ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନକୁ ବିରୋଧ କରିବା ସହ ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛି ଦଳ।
ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏହି ବନ୍ଦକୁ ସଫଳ କରିବା ପାଇଁ ଇଣ୍ଡି ମେଣ୍ଟର ସହଯୋଗୀ ଦଳଗୁଡ଼ିକୁ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଖଣି ଆଇନର ସଂଶୋଧନ ଓଡ଼ିଶାର ସ୍ୱାର୍ଥ ଏବଂ ରାଜସ୍ୱ ଉପରେ ପ୍ରଭାବ ପକାଇବ ବୋଲି କଂଗ୍ରେସ ଦାବି କରିଛି ଏବଂ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦଳ ଦାବି କରିଛି।
ବନ୍ଦ ସମୟରେ ଦୋକାନବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ବେସରକାରୀ କାର୍ଯ୍ୟାଳୟ ଓ ବସ୍ ସମେତ ସାଧାରଣ ପରିବହନ ସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି। ତେବେ ହସ୍ପିଟାଲ, ଆମ୍ବୁଲାନ୍ସ, ଔଷଧ ଦୋକାନ, ଅଗ୍ନିଶମ ସେବା ଓ ଅନ୍ୟ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି।
ବନ୍ଦ ସମୟରେ ଜରୁରୀକାଳୀନ ସେବା ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

