ନୂଆଦିଲ୍ଲୀ: ସାଇବର ଠକେଇର ଶିକାର ହୋଇଛନ୍ତି ମଧ୍ୟପ୍ରଦେଶର ପଞ୍ଚାୟତ ଓ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ତଥା ମୈହାର ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ରାଧା ସିଂହ। ସୋମବାର ସନ୍ଧ୍ୟାରେ ତାଙ୍କ ସରକାରୀ ମୋବାଇଲ୍ ନମ୍ବର ଓ WhatsApp ଆକାଉଣ୍ଟ ହ୍ୟାକ୍ ହୋଇଥିବା ଜଣାପଡ଼ିଛି।
ହ୍ୟାକରମାନେ ମନ୍ତ୍ରୀଙ୍କ ନମ୍ବରକୁ ବ୍ୟବହାର କରି ତାଙ୍କ ପରିଚିତ, ସାମ୍ବାଦିକ ଓ ଅନ୍ୟମାନଙ୍କୁ ମେସେଜ୍ ପଠାଇ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଜାଣିବା ପରେ ମନ୍ତ୍ରୀ ନିଜେ ସୋସିଆଲ ମିଡିଆ ଜରିଆରେ ଲୋକଙ୍କୁ ସତର୍କ କରିବା ସହ ପୁଲିସରେ ଅଭିଯୋଗ କରିଛନ୍ତି।
‘UPI କାମ କରୁନି, ୩୫ ହଜାର ପଠାନ୍ତୁ’
WhatsApp ହ୍ୟାକ୍ ପରେ ଠକମାନେ ମନ୍ତ୍ରୀଙ୍କ କଣ୍ଟାକ୍ଟ ଲିଷ୍ଟରେ ଥିବା ଲୋକଙ୍କୁ ଟାର୍ଗେଟ କରିଥିଲେ। ଜଣେ ସ୍ଥାନୀୟ ସାମ୍ବାଦିକଙ୍କ ନିକଟକୁ ମଧ୍ୟ ମନ୍ତ୍ରୀଙ୍କ ନମ୍ବରରୁ ମେସେଜ୍ ଆସିଥିଲା।
ମେସେଜ୍ରେ ଠକ ଜଣକ ନିଜକୁ ଅସୁବିଧାରେ ଥିବା ଦର୍ଶାଇଥିଲା। ଏଥିସହ ତାଙ୍କ UPI କାମ କରୁନଥିବା କହି ତୁରନ୍ତ ୩୫ ହଜାର ଟଙ୍କା ପଠାଇବାକୁ ଅନୁରୋଧ କରିଥିଲା। ତେବେ ମନ୍ତ୍ରୀଙ୍କ ନମ୍ବରରୁ ଏଭଳି ଟଙ୍କା ଦାବି ଆସିବାରୁ ସାମ୍ବାଦିକଙ୍କ ସନ୍ଦେହ ହୋଇଥିଲା। ଯାଞ୍ଚ ପରେ ଏହା ସାଇବର ଠକେଇ ବୋଲି ଜଣାପଡ଼ିଥିଲା।
ସୋସିଆଲ ମିଡିଆରେ ସତର୍କ କଲେ ମନ୍ତ୍ରୀ
ନିଜ WhatsApp ଆକାଉଣ୍ଟ ହ୍ୟାକ୍ ହୋଇଥିବା ଜାଣିବା ପରେ ରାଧା ସିଂହ ଫେସବୁକ୍ରେ ଏକ ସତର୍କତାମୂଳକ ପୋଷ୍ଟ କରିଛନ୍ତି। ତାଙ୍କ ନମ୍ବରରୁ ଆସୁଥିବା କୌଣସି ସନ୍ଦେହଜନକ ମେସେଜ୍ କିମ୍ବା ଟଙ୍କା ସମ୍ପର୍କିତ ଅନୁରୋଧରେ ପ୍ରତିକ୍ରିୟା ନଦେବାକୁ ସେ ଲୋକଙ୍କୁ କହିଛନ୍ତି।
ସେହିପରି କୌଣସି ପ୍ରକାରର ଆର୍ଥିକ କାରବାର ନକରିବାକୁ ଦଳୀୟ କର୍ମୀ, ଅଧିକାରୀ ଓ ସାଧାରଣ ଲୋକଙ୍କୁ ମନ୍ତ୍ରୀ ଅନୁରୋଧ କରିଛନ୍ତି। ଉକ୍ତ ମୋବାଇଲ୍ ନମ୍ବର ମଧ୍ୟପ୍ରଦେଶ ବିଧାନସଭାର ସରକାରୀ ଡାଇରେକ୍ଟୋରୀରେ ମଧ୍ୟ ତାଙ୍କ ଯୋଗାଯୋଗ ନମ୍ବର ଭାବେ ଉଲ୍ଲେଖ ରହିଛି।
ତଦନ୍ତ ଆରମ୍ଭ କଲା ସାଇବର ସେଲ୍
ଅଭିଯୋଗ ମିଳିବା ପରେ ପୁଲିସ ଓ ସାଇବର ସେଲ୍ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ହ୍ୟାକରମାନଙ୍କ ଗତିବିଧି, IP ଠିକଣା ଓ ଟଙ୍କା ଦାବି ସମ୍ପର୍କିତ ତଥ୍ୟ ଯାଞ୍ଚ କରାଯାଉଛି।
ମନ୍ତ୍ରୀଙ୍କ ନମ୍ବରରୁ କେତେଜଣଙ୍କୁ ଏଭଳି ମେସେଜ୍ ପଠାଯାଇଛି ଏବଂ କେହି ଏହାର ଶିକାର ହୋଇ ଟଙ୍କା ପଠାଇଛନ୍ତି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଚାଲିଛି।

