ମୟୂରଭଞ୍ଜ, ୨୦/୦୮ : ଲଗାଣ ବର୍ଷା ଯୋଗୁଁ ମୟୁରଭଞ୍ଜ ଜିଲ୍ଲା ବହଳଦା ଓ ପଡ଼ୋଶୀ ଜାମଦା ବ୍ଲକ ଅଞ୍ଚଳକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ଆର୍ଡି ରାସ୍ତାରେ ବଡ଼ ଘାଇ ସୃଷ୍ଟି ହୋଇଛି। ଫଳରେ ବଡଦୁନ୍ଦୁ ଓ ରେଡମ ମଧ୍ୟରେ ଗମନାଗମନ ଏକପ୍ରକାର ଠପ୍ ହୋଇପଡ଼ିଛି।ସ୍ଥାନୀୟ ଖଡ଼ଖାଇ ନଦୀ ପୋଲ ନିକଟରୁ ରେଡମ ଦେଇ ମୋରଣ୍ଡା ପଞ୍ଚାୟତକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ପିଚୁ ରାସ୍ତାର ଉଭୟ ଗାଁ ସୀମା ମଧ୍ୟବର୍ତ୍ତୀ ଅଞ୍ଚଳରେ ବର୍ଷାଜଳରେ ମାଟି ଧୋଇଯାଇ ବଡ଼ ଫାଟ ସୃଷ୍ଟି ହୋଇଛି।
ଏହାଦ୍ୱାରା ରାସ୍ତାଟି ବିପଦସଙ୍କୁଳ ହୋଇପଡ଼ିଥିବାବେଳେ ଯାନବାହନ ଚଳାଚଳରେ ମଧ୍ୟ ବାଧା ଉପୁଜିଛି।ଉକ୍ତ ରାସ୍ତାଟି ବହଳଦା ବ୍ଲକ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ସିଧାସଳଖ ଓ ବ୍ୟସ୍ତବହୁଳ ମାର୍ଗ ହୋଇଥିବାରୁ ଏହାର ଗୁରୁତ୍ୱ ଅଧିକ। ରାସ୍ତା ନଷ୍ଟ ହେବା ଯୋଗୁଁ ଏହା ଉପରେ ନିର୍ଭରଶୀଳ ବହୁ ଗ୍ରାମବାସୀ ଦୈନନ୍ଦିନ ଯାତାୟାତରେ ହଇରାଣ ହେଉଛନ୍ତି।ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାର ମରାମତି କରି ଯାତାୟାତ ସ୍ୱାଭାବିକ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଯଥାଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆ ନଗଲେ ରାସ୍ତା ଉପରେ ନିର୍ଭରଶୀଳ ଲୋକେ ଆର୍ଡି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

