ଭୁବନେଶ୍ୱର: ଅନଲାଇନ୍ ଟ୍ୟାକ୍ସି, ଅଟୋ ଓ ବାଇକ୍ ଚାଳକଙ୍କ ଆନ୍ଦୋଳନ ଏବେ ମହଙ୍ଗା ପଡ଼ିବାକୁ ଯାଉଛି। ଆନ୍ଦୋଳନରେ ସାମିଲ ଥିବା ୪୦୦ରୁ ଅଧିକ ଅଟୋରିକ୍ସାର ପରମିଟ୍ ବାତିଲ କିମ୍ବା ନିଲମ୍ବନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବୁଧବାର ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍ ଛକରେ ହୋଇଥିବା ରାସ୍ତାରୋକ, ଘେରାଉ ଓ ବିଶୃଙ୍ଖଳାକୁ ନେଇ ଭୁବନେଶ୍ୱର-୧ ଆରଟିଓ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
ଆନ୍ଦୋଳନ ଯୋଗୁଁ ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳରେ ସାଧାରଣ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଏହାସହ କ୍ରୁଟ୍ (CRUT) ଓ ‘ଆମ ବସ୍’ ସମେତ କିଛି ସରକାରୀ ସମ୍ପତ୍ତି ଭଙ୍ଗାରୁଜା ଓ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ମଧ୍ୟ ଆସିଥିଲା। ପୋଲିସ ରେକର୍ଡ, ସିସିଟିଭି ଫୁଟେଜ୍ ଓ ଜବତ ତାଲିକାର ପ୍ରାଥମିକ ଯାଞ୍ଚରୁ ରାସ୍ତା ଅବରୋଧରେ ୪୦୦ରୁ ଅଧିକ ଅଟୋ ବ୍ୟବହାର ହୋଇଥିବା ଜଣାପଡ଼ିଛି। ଏହି ଗାଡ଼ିଗୁଡ଼ିକୁ ଚିହ୍ନଟ କରି ପୋଲିସ ଜବତ କରିଥିବା ସୂଚନା ମିଳିଛି।
ବେଆଇନ କାର୍ଯ୍ୟରେ ଗାଡ଼ି ବ୍ୟବହାର କରାଯିବା ପରମିଟ୍ର ସର୍ତ୍ତାବଳୀର ଉଲ୍ଲଂଘନ ବୋଲି ଦର୍ଶାଇ ମୋଟର ଯାନ ଆଇନ, ୧୯୮୮ର ଧାରା ୮୬(୧)(ଖ) ଅନୁଯାୟୀ ପରମିଟ୍ ବାତିଲ କିମ୍ବା ନିଲମ୍ବନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ସମ୍ପୃକ୍ତ ଗାଡ଼ିର ପଞ୍ଜୀକୃତ ମାଲିକ ଓ ପରମିଟ୍ ଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।ଘଟଣା ସମୟରେ ଗାଡ଼ି କାହା ନିୟନ୍ତ୍ରଣରେ ଥିଲା ଏବଂ ମାଲିକଙ୍କ ଅନୁମତି, ନିର୍ଦ୍ଦେଶ କିମ୍ବା ଅବଗତିରେ ଏହା ବ୍ୟବହାର ହୋଇଥିଲା କି ନାହିଁ, ସେନେଇ ଆବଶ୍ୟକ ତଥ୍ୟ ଦେବାକୁ ନୋଟିସ୍ରେ କୁହାଯାଇଛି।
ଗାଡ଼ି ମାଲିକମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଦସ୍ତାବିଜ ସହ ଲିଖିତ ସ୍ପଷ୍ଟୀକରଣ ଦେବା ସହ ବ୍ୟକ୍ତିଗତ ଶୁଣାଣି ପାଇଁ ଆରଟିଓ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ। ଧାର୍ଯ୍ୟ ସମୟରେ ଉତ୍ତର ନଦେଲେ କିମ୍ବା ଶୁଣାଣିରେ ଅନୁପସ୍ଥିତ ରହିଲେ, ଉପଲବ୍ଧ ରେକର୍ଡ ଆଧାରରେ ଏକତରଫା ଭାବେ ପରମିଟ୍ ରଦ୍ଦ କିମ୍ବା ନିଲମ୍ବନ ନେଇ ନିଷ୍ପତ୍ତି ହୋଇପାରେ। ଏହା ସହ ଘଟଣା ସମ୍ପର୍କିତ ଅନ୍ୟ ଅପରାଧିକ କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଜାରି ରହିବ ବୋଲି ସ୍ପଷ୍ଟ କରାଯାଇଛି।

