ଥାଇଲାଣ୍ଡରୁ ଓଡ଼ିଶାକୁ ଆସୁଛି ବଡ଼ ବର୍ଷା : ବିଦେଶରୁ ଆସି ରାଜ୍ୟରେ ଏହି ଦିନ ରଚିବ ତାଣ୍ଡବ !

ଭୁବନେଶ୍ୱର, ୦୧/୦୯: ଜୁନ୍‌ରେ ନିଅଣ୍ଟିଆ ବର୍ଷାରୁ ଆରମ୍ଭ ହୋଇଥିବା ମୌସୁମୀ ଏବେ ଓଡ଼ିଶାରେ ରେକର୍ଡ ପରିମାଣର ବର୍ଷା ଦେଇସାରିଲାଣି। ଜୁନ୍‌ରୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ୧୧୫୨ ମିଲିମିଟର ବର୍ଷା ହୋଇଛି। ଏହି ସମୟରେ ସ୍ୱାଭାବିକ ବର୍ଷା ୯୧୪ ମିଲିମିଟର ରହିଥିବାରୁ ଏଥର ବର୍ଷା ପ୍ରାୟ ୨୬ ପ୍ରତିଶତ ଅଧିକ ରହିଛି। ଜୁନ୍‌ରେ ୪୭ ପ୍ରତିଶତ ନିଅଣ୍ଟିଆ ସ୍ଥିତି ଥିଲେ ମଧ୍ୟ ଜୁଲାଇ ଓ ଅଗଷ୍ଟର ପ୍ରବଳ ବର୍ଷା ସେହି ଅଭାବକୁ ପୂରଣ କରିଦେଇଛି।

ଏବେ ସେପ୍ଟେମ୍ବରର ପାଣିପାଗକୁ ନେଇ ଆକଳନ ଆରମ୍ଭ ହୋଇଛି। ଦେଶର ଅନେକ ଅଞ୍ଚଳରେ ଏହି ମାସରେ ବର୍ଷା ସ୍ୱାଭାବିକଠାରୁ କମ୍‌ ରହିପାରେ। ହେଲେ ଓଡ଼ିଶାର ଉତ୍ତର ଭାଗରେ ସ୍ୱାଭାବିକଠାରୁ ଅଧିକ ବର୍ଷାର ସମ୍ଭାବନା ରହିଛି। ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ମଧ୍ୟ ସ୍ୱାଭାବିକ ବର୍ଷା ହୋଇପାରେ। ଅପରପକ୍ଷରେ ଦକ୍ଷିଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷା କମିବାର ଆଶଙ୍କା ରହିଛି।

ତେବେ ଆସନ୍ତା କିଛି ଦିନ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା କମ୍‌। କେତେକ ସ୍ଥାନରେ ଘଡ଼ଘଡ଼ି ସହ ଅସରାଏ ବର୍ଷା ହୋଇପାରେ। ୮ରୁ ୯ ତାରିଖ ପର୍ଯ୍ୟନ୍ତ କୌଣସି ବଡ଼ ଘୂର୍ଣ୍ଣିବଳୟ ସମ୍ଭାବନା ନଥିବା ଆକଳନ କରାଯାଇଛି।

ଥାଇଲାଣ୍ଡ-ଦକ୍ଷିଣ ଚୀନ ସାଗରରୁ ଆସିପାରେ ନୂଆ ଘୂର୍ଣ୍ଣିବଳୟ

ତେବେ ୧୦ ତାରିଖ କିମ୍ବା ଏହା ପରେ ପାଣିପାଗରେ ବଡ଼ ପରିବର୍ତ୍ତନ ଆସିପାରେ। ଦକ୍ଷିଣ ଚୀନ ସାଗର ଓ ଥାଇଲାଣ୍ଡ ଅଞ୍ଚଳରୁ ଏକ ଘୂର୍ଣ୍ଣିବଳୟ ବଙ୍ଗୋପସାଗର ଦିଗକୁ ଆସିବାର ସମ୍ଭାବନା ନେଇ ଆକଳନ କରାଯାଉଛି। ଏହା ୧୨ରୁ ୧୪ ତାରିଖ ମଧ୍ୟରେ ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପର ରୂପ ନେଇପାରେ। ଏହାର ଗତିପଥ ଓ ତୀବ୍ରତା ଉପରେ ଆଗାମୀ ଦିନରେ ସ୍ପଷ୍ଟ ଚିତ୍ର ମିଳିବ।

ଏପଟେ ବର୍ତ୍ତମାନ ବଙ୍ଗୋପସାଗରରେ ଥିବା ଲଘୁଚାପ କ୍ଷେତ୍ର ଅଧିକ ସକ୍ରିୟ ହୋଇଛି। ଏହା ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଉପକୂଳ ଓଡ଼ିଶା ନିକଟରେ ରହିଛି। ଏହାର ପ୍ରଭାବରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଭାରୀ ବର୍ଷା ହୋଇପାରେ। ବରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ପାଇଁ ସତର୍କତା ଜାରି ହୋଇଥିବାବେଳେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗିରରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ।

ବୁଧବାରଠାରୁ ବର୍ଷାର ପ୍ରଭାବ କମିବା ସମ୍ଭାବନା ଥିବାବେଳେ ୩ ତାରିଖ ପରେ ବର୍ଷା କାଁ ଭାଁ ହୋଇପାରେ। ତେବେ ଆଗାମୀ ଦିନରେ ଥାଇଲାଣ୍ଡ ଓ ଦକ୍ଷିଣ ଚୀନ ସାଗର ପଟୁ ଆସିବାକୁ ଥିବା ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଉପରେ ଓଡ଼ିଶା ପାଣିପାଗ ବିଭାଗର ନଜର ରହିଛି। ସେପ୍ଟେମ୍ବରରେ ବର୍ଷା ସହ ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବାର ମଧ୍ୟ ଆଶଙ୍କା ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ