ଓରାଙ୍ଗଓଟାନ ମା’କୁ କରା ଯାଇଛି ହତ୍ୟା ! ରାଜ୍ୟ ବାହାରକୁ ଲମ୍ବିଛି ଚେର

ଭୁବନେଶ୍ୱର: ବିଚିତ୍ରପୁର ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ୍ ଶାବକ ଉଦ୍ଧାର ଘଟଣା ଏବେ ନୂଆ ମୋଡ଼ ନେଇଛି। ଏହି ଦୁର୍ଲଭ ବନ୍ୟଜନ୍ତୁମାନେ କେଉଁଠୁ ଓଡ଼ିଶାକୁ ଆସିଲେ, ଏମାନଙ୍କୁ କିଏ ଚୋରାଚାଲାଣ କରୁଥିଲା ଏବଂ ଏହା ପଛରେ କୌଣସି ଅନ୍ତର୍ଜାତୀୟ ନେଟୱର୍କ ରହିଛି କି ନାହିଁ—ଏସବୁ ଦିଗକୁ ନେଇ ତଦନ୍ତ ଜୋରଦାର କରିଛି ଏସ୍‌ଟିଏଫ୍‌।

ବିଚିତ୍ରପୁରରୁ ଉଦ୍ଧାର ପରେ ୫ ଓରାଙ୍ଗଉଟାନ୍ ଶାବକଙ୍କୁ ନନ୍ଦନକାନନରେ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ସେମାନଙ୍କ ଯତ୍ନ ପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶାବକମାନେ ଦୋଳିରେ ଝୁଲିବା ସହ ଖେଳନାରେ ଖେଳୁଛନ୍ତି। ଏପରିକି ପରସ୍ପରକୁ ଧରି ରହୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି।

ସେମାନଙ୍କ ସ୍ୱାସ୍ଥ୍ୟକୁ ନେଇ ନଜର ରଖାଯାଇଥିବା ବେଳେ ଗ୍ୟାସ୍‌ଟିକ୍ ସମସ୍ୟା ନେଇ ଚିନ୍ତା ରହିଛି। ମାନସିକ ଚାପ କମାଇବା ପାଇଁ ଶାବକମାନଙ୍କୁ ଖେଳନା ଓ ଦୋଳି ଦିଆଯାଉଛି। ଆଗାମୀ ଦିନରେ ସେମାନଙ୍କ ପାଇଁ ମ୍ୟୁଜିକ୍ ଥେରାପିର ବ୍ୟବସ୍ଥା କରାଯିବାକୁ ମଧ୍ୟ ଯୋଜନା ରହିଛି। ପ୍ରତି ଦୁଇ ଘଣ୍ଟାରେ ଖାଦ୍ୟ ଦିଆଯାଉଥିବା ବେଳେ କଦଳୀ, ସିଝା ଆଳୁ ଓ ସେଓ ଖାଇବାକୁ ଦିଆଯାଉଛି। ସେମାନଙ୍କ ଚାଲିଚଳନ ଓ ବ୍ୟବହାରକୁ ମଧ୍ୟ ନିୟମିତ ଭାବେ ରେକର୍ଡ କରାଯାଉଛି।

ଅନ୍ୟପଟେ, ଏହି ଚୋରାଚାଲାଣ ପଛରେ ବଡ଼ ଅନ୍ତର୍ଜାତୀୟ ନେଟୱର୍କ ଥିବା ନେଇ ତଦନ୍ତକାରୀଙ୍କ ସନ୍ଦେହ ବଢ଼ିଛି। ଓରାଙ୍ଗଉଟାନ୍‌ମାନଙ୍କୁ ଇଣ୍ଡୋନେସିଆରୁ ଚୋରା ଉପାୟରେ ଆଣି ଓଡ଼ିଶା ଦେଇ ଅନ୍ୟତ୍ର ନେବାକୁ ଯୋଜନା ହୋଇଥିଲା କି ନାହିଁ, ତାହାର ଖୋଳତାଡ଼ କରାଯାଉଛି।

୫ଟି ଶାବକଙ୍କ ମାଆ କେଉଁଠି, ଏହା ମଧ୍ୟ ତଦନ୍ତର ଏକ ବଡ଼ ପ୍ରଶ୍ନ ହୋଇଛି। ମାଆମାନଙ୍କଠାରୁ ଶାବକଙ୍କୁ ଅଲଗା କରି ଚୋରାଚାଲାଣ କରାଯାଇଥିଲା କି? ନା ବେଆଇନ୍‌ ଭାବେ ପ୍ରଜନନ କରାଇ ଏମାନଙ୍କୁ ଚୋରା କାରବାର ପାଇଁ ପ୍ରସ୍ତୁତ କରାଯାଇଥିଲା? ଏସବୁ ସମ୍ଭାବନାକୁ ନେଇ ତଦନ୍ତ ଆଗକୁ ବଢ଼ୁଛି।

ବିଚିତ୍ରପୁର ପରେ ଏବେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ଉପରେ ଏସ୍‌ଟିଏଫ୍‌ର ନଜର ରହିଛି। ଉଦୟପୁର ସୀମାରେ ପହଞ୍ଚି ତଦନ୍ତକାରୀ ଟିମ୍ ଯାଞ୍ଚ କରିଛି। ପଶ୍ଚିମବଙ୍ଗ ପୁଲିସ ସହ ଆଲୋଚନା କରିବା ସହ ପ୍ରାୟ ୪୦ଟି ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରାଯାଇଛି।

ସିସିଟିଭି ଫୁଟେଜ୍‌ରେ ନଜରକୁ ଆସିଥିବା ଏକ ଥାର୍ ଗାଡ଼ି ଏବେ ତଦନ୍ତର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି। ଗାଡ଼ିଟି କାହାର ଏବଂ ଏହାର ଓରାଙ୍ଗଉଟାନ୍‌ ଚୋରାଚାଲାଣ ସହ କୌଣସି ସମ୍ପର୍କ ରହିଛି କି ନାହିଁ, ସେନେଇ ତଦନ୍ତ ଚାଲିଛି।

ତଦନ୍ତକୁ ଆହୁରି ବ୍ୟାପକ କରିବା ପାଇଁ କୋଲକାତା ଓ ଭୋପାଳରୁ ସ୍ୱତନ୍ତ୍ର ଟିମ୍‌ ଓଡ଼ିଶାକୁ ଆସୁଥିବା ସୂଚନା ମିଳିଛି। ଥାଇଲାଣ୍ଡ, ମାଲେସିଆ ଓ ଇଣ୍ଡୋନେସିଆ ସହ ଏହି ଘଟଣାର ଲିଙ୍କ୍ ଥିବା ନେଇ ସନ୍ଦେହ ରହିଥିବାରୁ ଆବଶ୍ୟକ ପଡ଼ିଲେ ଇଣ୍ଟରପୋଲର ସହାୟତା ନିଆଯାଇପାରେ।

ସେପଟେ, ଯେଉଁ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ୍‌କୁ ଉଦ୍ଧାର କରାଯାଇଥିଲା, ସେହି ସ୍ଥାନକୁ ବନ ବିଭାଗ ପକ୍ଷରୁ ତାରବାଡ଼ ଦେଇ ଘେରାଯାଇଛି। ଅଞ୍ଚଳଟିକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ ଘଟଣାସ୍ଥଳରୁ ଏକ ମାସ୍କ ମଧ୍ୟ ମିଳିଛି।

ଏବେ ତଦନ୍ତ ଆଗକୁ ବଢ଼ିବା ସହ ଗୋଟିଏ ପରେ ଗୋଟିଏ ନୂଆ ଦିଗ ସାମ୍ନାକୁ ଆସୁଛି। ୫ ଓରାଙ୍ଗଉଟାନ୍‌ଙ୍କୁ କିଏ ଆଣିଥିଲା, କେଉଁଠି ନେବାକୁ ଯୋଜନା ଥିଲା ଏବଂ ଏହା ପଛରେ କେତେ ବଡ଼ ନେଟୱର୍କ କାମ କରୁଛି—ଏହାର ସମ୍ପୂର୍ଣ୍ଣ ରହସ୍ୟ କେବେ ଖୋଲିବ, ତାହା ଉପରେ ଏବେ ସମସ୍ତଙ୍କ ନଜର।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ