ଓଡ଼ିଶା ଲୋକେ ଜାଣିବେନି ରତ୍ନ ଭଣ୍ଡାରରେ କ’ଣ ଅଛି ? ତଥ୍ୟ ଦେବେନି ସରକାର

ପୁରୀ ଶ୍ରୀମନ୍ଦିରର ବହୁଚର୍ଚ୍ଚିତ ରତ୍ନଭଣ୍ଡାରରେ ଚାଲିଥିବା ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି ମଣତିକୁ ନେଇ ଆସିଛି ବଡ଼ ଖବର। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବା ପରେ ତାଲିକା ପ୍ରସ୍ତୁତ ହେଲେ ମଧ୍ୟ ଏହାକୁ ସାଧାରଣ ଲୋକଙ୍କ ପାଇଁ ପବ୍ଲିକ ଡୋମେନରେ ପ୍ରକାଶ କରାଯିବ ନାହିଁ। ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ଗୁରୁବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି, ରତ୍ନଭଣ୍ଡାରର ଗଣତି ମଣତି ଏକ ଦୀର୍ଘ ପ୍ରକ୍ରିୟା। ଦୁର୍ଗାପୂଜା ପରେ ଏହି କାମ ଅଧିକ ସମୟ ଧରି ଚାଲିବ ଏବଂ ମାର୍ଗଶିର ମାସ ପୂର୍ବରୁ ସମସ୍ତ ଗଣତି ମଣତି ଶେଷ କରିବାକୁ ଲକ୍ଷ୍ୟ ରହିଛି।

ସମସ୍ତ ଅଳଙ୍କାର ଓ ସାମଗ୍ରୀର ଯାଞ୍ଚ ସରିବା ପରେ ୧୯୭୮ ମସିହାର ରେକର୍ଡକୁ ଆଧାର କରି ନୂଆ ତାଲିକା ପ୍ରସ୍ତୁତ କରାଯିବ। କିନ୍ତୁ ଏହି ତାଲିକା ସାର୍ବଜନୀନ କରାଯିବ ନାହିଁ। ମନ୍ତ୍ରୀଙ୍କ କହିବା ଅନୁସାରେ, ରତ୍ନଭଣ୍ଡାରର ଏହି ତଥ୍ୟ ସାଧାରଣ ପ୍ରଦର୍ଶନ ପାଇଁ ନୁହେଁ। ଏହା ଏକ ଗୁପ୍ତ ସେବା ସହ ଜଡ଼ିତ ପ୍ରକ୍ରିୟା।

ଦୀର୍ଘ ୪୮ ବର୍ଷ ପରେ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀର ବିସ୍ତୃତ ଯାଞ୍ଚ ଚାଲିଛି। ଗତ ଅଗଷ୍ଟ ୩୧ ତାରିଖରୁ ପୁଣିଥରେ ଭିତର ରତ୍ନଭଣ୍ଡାରର ଗଣତି ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଯାଞ୍ଚ ହୋଇଥିବା ସାମଗ୍ରୀ ୧୯୭୮ର ତାଲିକା ସହ ମେଳ ଖାଉଥିବା ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ସରକାରଙ୍କ ଅନୁମୋଦିତ ସ୍ୱତନ୍ତ୍ର SOP ଅନୁସାରେ ଅତ୍ୟନ୍ତ ସୁରକ୍ଷିତ ଓ ନିୟନ୍ତ୍ରିତ ପରିବେଶରେ ଏହି କାର୍ଯ୍ୟ ଚାଲିଛି। ସମଗ୍ର ଅଞ୍ଚଳ CCTV ନଜରରେ ରହିଛି। ଅଧିକାରୀ, ମାଜିଷ୍ଟ୍ରେଟ୍ ଏବଂ ଅନୁମତିପ୍ରାପ୍ତ ବ୍ୟକ୍ତିଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଓ ସାମଗ୍ରୀର ଯାଞ୍ଚ କରାଯାଉଛି।

ଗଣତି ମଣତିକୁ ଅଧିକ ବ୍ୟବସ୍ଥିତ ଓ ନିର୍ଭୁଲ କରିବା ପାଇଁ ୩ଡି ମ୍ୟାପିଂ, ଡିଜିଟାଲ ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫିର ବ୍ୟବହାର ହେଉଛି। ଏଥିସହ ରତ୍ନ ବିଶେଷଜ୍ଞଙ୍କ ସହାୟତା ମଧ୍ୟ ନିଆଯାଉଛି। ପ୍ରତ୍ୟେକ ପର୍ଯ୍ୟାୟର ଡକ୍ୟୁମେଣ୍ଟେସନ୍ କରାଯାଉଥିବାରୁ ପ୍ରକ୍ରିୟାକୁ ନେଇ କଡ଼ା ନିୟମ ପାଳନ କରାଯାଉଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ