ବଙ୍ଗୋପ ସାଗରରୁ ମାଡ଼ି ଆସିଲା ଦୁଇଟି ଲଘୁଚାପ ! ଏହି ତାରିଖ ଯାଏ ପ୍ରବଳ ବର୍ଷା ପବନ

ଭୁବନେଶ୍ୱର: ଓଡ଼ିଶାରେ ପୁଣି ଏକ ବଡ଼ ବର୍ଷା ପର୍ଯ୍ୟାୟ ଆସିବାର ସଙ୍କେତ ମିଳିଛି। ବଙ୍ଗୋପସାଗରରେ ଲଗାତାର ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବାରୁ ଆଗାମୀ ଦିନରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ।

ବର୍ତ୍ତମାନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ସେପ୍ଟେମ୍ବର ୧୨ ଯାଏ ଓଡ଼ିଶାର ଅନେକ ଅଞ୍ଚଳରେ ବର୍ଷା ଲାଗି ରହିବ। ବିଶେଷକରି ୧୧ ତାରିଖରେ ବର୍ଷାର ପ୍ରଭାବ ଅଧିକ ରହିବା ଆକଳନ କରାଯାଇଛି। ୧୨ ତାରିଖରେ ମଧ୍ୟ ବର୍ଷା ଜାରି ରହିପାରେ।

ପାଣିପାଗର ବିସ୍ତାରିତ ଆକଳନ ଅନୁସାରେ, ୧୦ରୁ ୧୨ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଏହାପରେ ୧୭ ତାରିଖ ପର୍ଯ୍ୟନ୍ତ ମଧ୍ୟ ଅଧିକାଂଶ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। କେଉଁଠି ୧୦ରୁ ୨୦ ମିମି, ଆଉ କେଉଁଠି ୨୦ରୁ ୪୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ।

ଏପଟେ ସେପ୍ଟେମ୍ବର ୨୦ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଥାଇଲାଣ୍ଡ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ଗଠନ ହୋଇପାରେ। ଏହା ପରବର୍ତ୍ତୀ ସମୟରେ ଶକ୍ତିଶାଳୀ ହୋଇ ୨୨ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ଲଘୁଚାପର ରୂପ ନେଇପାରେ। ଏହାର ପ୍ରଭାବରେ ଓଡ଼ିଶା ସମେତ ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ବର୍ଷା ବଢ଼ିବା ଆଶଙ୍କା ରହିଛି।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁସାରେ, ବର୍ତ୍ତମାନର ଲଘୁଚାପ ଅବପାତରେ ପରିଣତ ହେବାର ସ୍ପଷ୍ଟ ସଙ୍କେତ ନାହିଁ। ତେବେ ଏହା ପଶ୍ଚିମରୁ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶାରେ ଅଧିକ ପ୍ରଭାବ ପକାଇପାରେ।

ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିପାରେ। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଏହାର ଆଖପାଖ ଅଞ୍ଚଳରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମଧ୍ୟ ବର୍ଷା ବଢ଼ିବା ସମ୍ଭାବନା ରହିଛି।

ଅଳ୍ପ ସମୟରେ ଅଧିକ ବର୍ଷା ହେଲେ ଉତ୍ତର ଓ ଉପକୂଳ ଓଡ଼ିଶାର ତଳିଆ ଅଞ୍ଚଳରେ ପାଣି ଜମିପାରେ। ଏଥିସହ ଛୋଟ ନଦୀ ଓ ନାଳରେ ହଠାତ୍ ଜଳପତ୍ତନ ବଢ଼ିବା ସହ କେତେକ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇପାରେ।

ସେପ୍ଟେମ୍ବର ୧୧ରୁ ୧୫ ମଧ୍ୟରେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପରେ ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ମଧ୍ୟ ବର୍ଷା ବଢ଼ିପାରେ। ଆଗାମୀ ଦିନରେ ପୁଣି ଲଘୁଚାପ ଗଠନ ଓ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ତଳିଆ ଜମିରୁ ଶୀଘ୍ର ପାଣି ନିଷ୍କାସନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ