୧୦ ଦିନ ଯାଏଁ ପ୍ରବଳ ବର୍ଷା ! ଘରୁ ବାହାରିଲେ ରହିଛି ବିପଦ

ଭୁବନେଶ୍ୱର, ୩୧/୦୮: ରାଜ୍ୟରେ ଏବେ ବର୍ଷାର ପ୍ରଭାବ ଜାରି ରହିବ। ଲଘୁଚାପ ପ୍ରଭାବରେ ଆସନ୍ତା ୪ ଦିନ ଧରି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ସମ୍ଭାବନା ରହିଛି। ବିଶେଷକରି ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିପାରେ। ତେବେ ଅଧିକାଂଶ ନଦୀର ଜଳସ୍ତର ଏବେ ହ୍ରାସ ପାଉଥିବାରୁ ବର୍ତ୍ତମାନ ବଡ଼ ବନ୍ୟା ଆଶଙ୍କା ନାହିଁ।

ଉତ୍ତର ପଶ୍ଚିମ ବଙ୍ଗୋପସାଗର ସହ ସଂଲଗ୍ନ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳରେ ଥିବା ଲଘୁଚାପ ଅଧିକ ସ୍ପଷ୍ଟ ହୋଇଛି। ଏହା ଧୀରେ ଧୀରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ଭାରୀ ବର୍ଷା ହୋଇପାରେ।

ସୋମବାର ବରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର ଓ କଳାହାଣ୍ଡିରେ ମଧ୍ୟ ଭାରୀରୁ ଅତିଭାରୀ ବର୍ଷା ହୋଇପାରେ।

ଅନ୍ୟପଟେ ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର ଓ ରାୟଗଡ଼ାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ସେପ୍ଟେମ୍ବର ୧ରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ରେ ପୁଣିଥରେ ଭାରୀରୁ ଅତିଭାରୀ ବର୍ଷା ହୋଇପାରେ। ୨ ଓ ୩ ତାରିଖରେ ଉତ୍ତର ଓଡ଼ିଶାର ଅନେକ ଅଞ୍ଚଳରେ ବର୍ଷା ବଢ଼ିବାର ସମ୍ଭାବନା ଅଛି।

ରବିବାର ସକାଳଠାରୁ ରାତି ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହୋଇଥିଲା। ବାଲେଶ୍ୱରରେ ସର୍ବାଧିକ ୪୮.୯ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଭବାନୀପାଟଣାରେ ୩୨.୨, ଝାରସୁଗୁଡ଼ାରେ ୨୯.୮, ଖୋର୍ଦ୍ଧାରେ ୨୬, ଚାନ୍ଦବାଲିରେ ୨୩.୮, ଭୁବନେଶ୍ୱରରେ ୧୯.୧ ଓ ବାରିପଦାରେ ୧୭.୪ ମିମି ବର୍ଷା ହୋଇଛି।

ନଦୀଗୁଡ଼ିକର ଜଳସ୍ଥିତିକୁ ନେଇ ମଧ୍ୟ ବର୍ତ୍ତମାନ ବଡ଼ ଚିନ୍ତାର କାରଣ ନାହିଁ। ଅଧିକାଂଶ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। କେତେକ ସ୍ଥାନରେ ଜଳସ୍ତର ସତର୍କ ସଙ୍କେତ ଅତିକ୍ରମ କରିଥିଲେ ମଧ୍ୟ ଏବେ ତାହା କମିବାରେ ଲାଗିଛି।

ବୈତରଣୀ ନଦୀର ଆଖୁଆପଦାଠାରେ ଜଳସ୍ତର ୧୮.୧୧ ମିଟର ରହିଥିବାବେଳେ ଏହା କ୍ରମାଗତ ହ୍ରାସ ପାଉଛି। ମହାନଦୀର ଜଳସ୍ତର ମଧ୍ୟ ବିପଦ ସଙ୍କେତଠାରୁ ତଳେ ରହିଛି। ନରାଜଠାରେ ମହାନଦୀର ଜଳସ୍ତର ୨୪.୪୫ ମିଟର ରହିଛି। ମୁଣ୍ଡଳୀ ଦେଇ ପ୍ରତି ସେକେଣ୍ଡରେ ପ୍ରାୟ ୨ ଲକ୍ଷ ୪୪ ହଜାର ଘନଫୁଟ ପାଣି ପ୍ରବାହିତ ହେଉଛି।

ସେହିପରି ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୭ ହଜାର ଘନଫୁଟ ପାଣି ପ୍ରବେଶ କରୁଥିବାବେଳେ ୧ ଲକ୍ଷ ୨୬ ହଜାର ୨୯୬ ଘନଫୁଟ ପାଣି ନିଷ୍କାସନ ହେଉଛି। ଆଗାମୀ କିଛି ଦିନ ବର୍ଷା ଜାରି ରହିବାକୁ ଥିବାରୁ ନଦୀ ଓ ଜଳଭଣ୍ଡାରର ଜଳସ୍ତର ଉପରେ ନଜର ରଖାଯାଉଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ