ଭୁବନେଶ୍ୱର: ରାଜ୍ୟରେ ଗୁଟଖା ବ୍ୟବସାୟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଗୁଟଖା ଓ ଚିଉଇଙ୍ଗ୍ ଟବାକୋ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ରାଜ୍ୟ ସରକାର ଜାନୁଆରୀ ୨୧ ତାରିଖରେ ଜାରି କରିଥିବା ବିଜ୍ଞପ୍ତିକୁ କାଏମ ରଖିଛନ୍ତି ହାଇକୋର୍ଟ। ଏହି ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ମାମଲାଗୁଡ଼ିକୁ ମଧ୍ୟ ଅଦାଲତ ଖାରଜ କରିଛନ୍ତି।
ହାଇକୋର୍ଟ କହିଛନ୍ତି, ଜନସ୍ୱାସ୍ଥ୍ୟର ସୁରକ୍ଷା କରିବା ରାଜ୍ୟର ମୌଳିକ କର୍ତ୍ତବ୍ୟ। ବ୍ୟବସାୟିକ ସ୍ୱାର୍ଥ ଅପେକ୍ଷା ଲୋକଙ୍କ ସ୍ୱାସ୍ଥ୍ୟ ଓ ଜୀବନର ଅଧିକାରକୁ ପ୍ରାଥମିକତା ଦିଆଯିବ। ଜାନୁଆରୀ ୨୧ର ବିଜ୍ଞପ୍ତି ଖାଦ୍ୟ ସୁରକ୍ଷା ଓ ମାନକ ନିୟମାବଳୀ, ୨୦୧୧ ଏବଂ ଖାଦ୍ୟ ସୁରକ୍ଷା ଆଇନର କାର୍ଯ୍ୟକାରିତା ପାଇଁ ଉଦ୍ଦିଷ୍ଟ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।
ଗତ ଜାନୁଆରୀରେ ଜାରି ହୋଇଥିବା ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଗୋପାଳ ଆରୋମେଟିକ ସମେତ ୪ଟି ସଂସ୍ଥା ହାଇକୋର୍ଟରେ ମାମଲା ଦାୟର କରିଥିଲେ। ଆବେଦନକାରୀଙ୍କ ଯୁକ୍ତି ଥିଲା ଯେ, ଚିଉଇଙ୍ଗ୍ ଟବାକୋ ଖାଦ୍ୟ ସୁରକ୍ଷା ଓ ମାନକ ଆଇନ ପରିସରଭୁକ୍ତ ନୁହେଁ। ଏହା ତମାଖୁ ନିୟନ୍ତ୍ରଣ ଆଇନ ଅଧୀନରେ ଆସୁଥିବାରୁ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ଏହାକୁ ନିଷିଦ୍ଧ କରିପାରିବେ ନାହିଁ ବୋଲି ସେମାନେ ଦାବି କରିଥିଲେ।
ମାମଲାର ପ୍ରାରମ୍ଭିକ ଶୁଣାଣି ସମୟରେ ହାଇକୋର୍ଟ ସରକାରୀ ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ତେବେ ଚୂଡ଼ାନ୍ତ ରାୟରେ ସମସ୍ତ ଆବେଦନ ଖାରଜ କରିବା ସହ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ କାଏମ ରଖିଛନ୍ତି। ଫଳରେ ରାଜ୍ୟରେ ଗୁଟଖା ଓ ସମ୍ପର୍କିତ ତମାଖୁ ଉତ୍ପାଦ ଉପରେ ପ୍ରତିବନ୍ଧକ ଜାରି ରହିବ।

