ଭୁବନେଶ୍ୱର : ପ୍ରଗତି କ୍ରିକେଟ ଟ୍ରେନିଙ୍ଗ ସେଣ୍ଟର କ୍ରିକେଟ୍ ଖେଳାଳୀମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରିବ । ଏଥିସହିତ ଭବିଷ୍ୟତରେ ବହୁ ସଫଳ କ୍ରିକେଟରମାନଙ୍କୁ ତିଆରି କରିବାରେ ଏକ ବଳିଷ୍ଠ ଭୂମିକା ନିର୍ବାହ କରିବ । ଭୁବନେଶ୍ୱର ୟୁନିଟ-୬ ସ୍ଥିତ ପ୍ରଗତି ସ୍ପୋର୍ଟିଂରେ ନୂତନ କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିବା ଅବସରରେ ଏପରି କହିଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
ଏହି ପ୍ରଶିକ୍ଷଣ କେନ୍ଦ୍ରରେ ନାଚୁରାଲ ଓ ସିନ୍ଥେଟିକ କ୍ରିକେଟ୍ ନେଟ୍ ପ୍ରାକ୍ଟିସ ପିଚ୍, ସେମି ଇଣ୍ଡୋର କ୍ରିକେଟ୍ ନେଟ୍ ପ୍ରାକ୍ଟିସ ପିଚ୍, କ୍ରୀଡ଼ାବିତମାନଙ୍କ ପାଇଁ ଫ୍ୟାସିଲିଟି ବିଲଡିଂ, ଜିମ୍ ଆଦି ରହିଛି । ଏଥି ସହିତ ସ୍ୱତନ୍ତ୍ର ଭାବେ ଏକ କାର୍ଯ୍ୟାଳୟର ମଧ୍ୟ ନିର୍ମାଣ କରାଯାଇଛି । ମୋଟ୍ ୩.୬୫ କୋଟି ଟଙ୍କା ବ୍ୟୟରେ ସମ୍ପନ୍ନ ହୋଇଛି ଏହି ଟ୍ରେନିଙ୍ଗ ସେଣ୍ଟରର ନୂତନ ଭିତ୍ତିଭୂମିର ନିର୍ମାଣ ଓ ଉନ୍ନୟନ କାର୍ଯ୍ୟ । ଏହି ଅବସରରେ ମନ୍ତ୍ରୀ ସୂରଜ ଖେଳାଳିମାନଙ୍କ ସହ କ୍ରିକେଟ୍ ଖେଳି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।
ଓଡ଼ିଶାକୁ ବିଶ୍ୱ କ୍ରୀଡ଼ା ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ସହିତ କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ । ଅନ୍ୟମାନଙ୍କ ମଧ୍ୟରେ ଏକାମ୍ର ବିଧାୟକ ବାବୁ ସିଂ ଏବଂ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

