ନୂଆଦିଲ୍ଲୀ, ୧୭/୧୦: ନଭେମ୍ବରରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାର ଆଶଙ୍କା ରହିଛି। ଏନେଇ ଅନୁମାନ କରିଛି ଅର୍ଥନୈତିକ ଗବେଷଣା ସଂସ୍ଥା ଅକ୍ସଫୋର୍ଡ ଇକୋନୋମିକ୍ସ। ଯଦି ଇନ୍ଧନ ଦରରେ ବୃଦ୍ଧି ହୁଏ, ତେବେ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ପଡ଼ିବା ସମ୍ଭାବନା ରହିଛି।
ରିପୋର୍ଟ ଅନୁଯାୟୀ, ଆଗାମୀ ବର୍ଷ ଆରମ୍ଭରେ ଦେଶର କେତେକ ରାଜ୍ୟରେ ନିର୍ବାଚନ ହେବାକୁ ଥିବାରୁ ନଭେମ୍ବରରେ ତେଲ ଦର ବୃଦ୍ଧି ପାଇଁ ଏକ ସୀମିତ ସୁଯୋଗ ରହିପାରେ। ନିର୍ବାଚନ ପ୍ରଚାର ଜୋର୍ ଧରିବା ପୂର୍ବରୁ ଇନ୍ଧନ ଦରରେ ପରିବର୍ତ୍ତନ ହୋଇପାରେ ବୋଲି ଅନୁମାନ କରାଯାଇଛି।
ବ୍ଲୁମ୍ବର୍ଗର ଏକ ରିପୋର୍ଟରେ ଅକ୍ସଫୋର୍ଡ ଇକୋନୋମିକ୍ସର ପ୍ରମୁଖ ଅର୍ଥନୀତିଜ୍ଞ ଆଲେକ୍ଜାଣ୍ଡର ହରମନଙ୍କ ମତକୁ ଉଦ୍ଧୃତ କରାଯାଇଛି। ତାଙ୍କ ଅନୁମାନ ଅନୁସାରେ, ନଭେମ୍ବରରେ ପେଟ୍ରୋଲ ଦର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହି ସମୟରେ ଆଗାମୀ ସାତଟି ରାଜ୍ୟରେ ନିର୍ବାଚନୀ ପ୍ରକ୍ରିୟାକୁ ନେଇ ରାଜନୈତିକ ଗତିବିଧି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ।
ମେ’ ମାସରେ ବଢ଼ିଥିଲା ତେଲ ଦର
ଅକ୍ସଫୋର୍ଡ ଇକୋନୋମିକ୍ସର ଆକଳନ ଅନୁଯାୟୀ, ନଭେମ୍ବରରେ ହେବାକୁ ଥିବା ସମ୍ଭାବ୍ୟ ଦରବୃଦ୍ଧି ଗତ ମେ’ ମାସରେ ହୋଇଥିବା ବୃଦ୍ଧିର ପ୍ରାୟ ଅଧା ହୋଇପାରେ। ମଧ୍ୟପ୍ରାଚ୍ୟରେ ଅଶାନ୍ତି ଯୋଗୁଁ ମେ’ ମାସରେ ଖୁଚୁରା ଇନ୍ଧନ ଦର ବୃଦ୍ଧି ପାଇଥିବା କୁହାଯାଇଛି।
ବଢ଼ିପାରେ ମୁଦ୍ରାସ୍ଫୀତି
ଇନ୍ଧନ ଦର ବଢ଼ିଲେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ। ରିପୋର୍ଟର ଆକଳନ ଅନୁଯାୟୀ, ୨୦୨୬ ଅକ୍ଟୋବରରୁ ଡିସେମ୍ବର ତ୍ରୟମାସରେ ମୁଦ୍ରାସ୍ଫୀତି ହାର ୬.୨ ପ୍ରତିଶତ ଏବଂ ୨୦୨୭ ଜାନୁଆରୀରୁ ମାର୍ଚ୍ଚ ତ୍ରୟମାସରେ ୬.୫ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିପାରେ।
ଏହି ଆକଳନ ସତ ହେଲେ ମୁଦ୍ରାସ୍ଫୀତି ଭାରତୀୟ ରିଜର୍ଭ ବ୍ୟାଙ୍କର ୨ରୁ ୬ ପ୍ରତିଶତ ଲକ୍ଷ୍ୟସୀମାକୁ ଅତିକ୍ରମ କରିପାରେ। ତେବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ଏହା ଏକ ଅର୍ଥନୈତିକ ଆକଳନ ମାତ୍ର। ଦର ବୃଦ୍ଧି ସମ୍ପର୍କରେ ସରକାରୀ ଘୋଷଣା ହୋଇଥିବା ଏଥିରୁ ସ୍ପଷ୍ଟ ହେଉନାହିଁ।

