ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଢ଼ିଲା ଚିନ୍ତା, ଦକ୍ଷିଣ ଓଡ଼ିଶାରେ ୭୦ କିମି ବେଗରେ ବହିବ ପବନ!

ଭୁବନେଶ୍ୱର, ୨୬/୧୦: ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଓଡ଼ିଶାରେ ଚିନ୍ତା ବଢ଼ିଛି। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ଦକ୍ଷିଣ ଓଡ଼ିଶାରେ ଜୋର୍‌ରେ ପବନ ବହିବା ଆଶଙ୍କା ରହିଛି। କେତେକ ସ୍ଥାନରେ ୨୦୦ରୁ ୩୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି।

୨୭ ଓ ୨୮ରେ ପ୍ରବଳ ବର୍ଷା ସମ୍ଭାବନା

ଆଇଏମଡିର ପୂର୍ବାନୁମାନ ଅନୁଯାୟୀ, ଅକ୍ଟୋବର ୨୭ ଓ ୨୮ ତାରିଖରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ବାତ୍ୟାର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ଅଧିକ ଅନୁଭୂତ ହେବାର ଆଶଙ୍କା ରହିଛି।

୨୭ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିପାରେ। ପରଦିନ ଏହା ବୃଦ୍ଧି ପାଇ ୬୦ରୁ ୭୦ କିଲୋମିଟରରେ ପହଞ୍ଚିପାରେ। ଅନ୍ୟପକ୍ଷରେ, କେତେକ ପାଣିପାଗ ମଡେଲ୍‌ର ଆକଳନ ଅନୁସାରେ ଦକ୍ଷିଣ ଓଡ଼ିଶାରେ ପବନର ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟର ଛୁଇଁବାର ମଧ୍ୟ ଆଶଙ୍କା ରହିଛି।

୫ ଜିଲ୍ଲା ଉପରେ ରହିବ ବାତ୍ୟାର ପ୍ରଭାବ

ଅକ୍ଟୋବର ୨୮ ତାରିଖ ରାତି ସମୟରେ ବାତ୍ୟାର ପ୍ରଭାବ ଦକ୍ଷିଣ ଓଡ଼ିଶାର ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଅନୁଭୂତ ହୋଇପାରେ। ଏହି ଅଞ୍ଚଳଗୁଡ଼ିକରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ରହିବା ନେଇ ଆକଳନ କରାଯାଇଛି।

ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଆଇଏମଡି ଡିଜି ସ୍ପଷ୍ଟ କରିଥିଲେ ମଧ୍ୟ ଏହାର ପ୍ରଭାବରେ ରାଜ୍ୟରେ ବ୍ୟାପକ ବର୍ଷା ହେବା ସମ୍ଭାବନା ରହିଛି।

ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିପାରେ ‘ଅର୍ଣ୍ଣବ’

ଆଇଏମଡିର ବୁଲେଟିନ୍ ଅନୁସାରେ, ବାତ୍ୟା ‘ଅର୍ଣ୍ଣବ’ ସୋମବାର ସକାଳ ସୁଦ୍ଧା ଘୂର୍ଣ୍ଣିବଳୟରୁ ବାତ୍ୟାର ରୂପ ନେଇପାରେ। ଅକ୍ଟୋବର ୨୭ ତାରିଖରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି।

ସେହି ଦିନ ରାତି ସାଢ଼େ ୧୧ଟା ସମୟରେ ବାତ୍ୟାଟି କାକିନାଡ଼ାର ଦକ୍ଷିଣରେ ମଛଲିପଟ୍ଟନମ୍ ନିକଟ ସମୁଦ୍ରରେ ରହିପାରେ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିବା ସହ ପବନର ଝଟକା ୧୪୦ କିଲୋମିଟର ଛୁଇଁପାରେ।

ଅକ୍ଟୋବର ୨୮ ତାରିଖ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟା ‘ଅର୍ଣ୍ଣବ’ ସ୍ଥଳଭାଗ ଛୁଇଁପାରେ। ବାପାଟଲା ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ଅଞ୍ଚଳ କିମ୍ବା କାକିନାଡ଼ା ନିକଟରେ ଏହାର ଲ୍ୟାଣ୍ଡଫଲ୍ ହେବା ନେଇ ବିଭିନ୍ନ ଆକଳନ ରହିଛି।

ଲ୍ୟାଣ୍ଡଫଲ୍ ବେଳେ ପବନର ବେଗକୁ ନେଇ ଭିନ୍ନ ଆକଳନ

ଆଇଏମଡିର ଆକଳନ ଅନୁଯାୟୀ, ଅକ୍ଟୋବର ୨୮ ତାରିଖରେ ‘ଅର୍ଣ୍ଣବ’ ଅତି ଭୀଷଣ ବାତ୍ୟାର ରୂପ ନେଇ ଆନ୍ଧ୍ର ଉପକୂଳରେ ପହଞ୍ଚିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୪୦ କିଲୋମିଟର ରହିପାରେ।

ତେବେ ଆମେରିକାର ଜଏଣ୍ଟ ଟାଇଫୁନ୍ ୱାର୍ଣ୍ଣିଂ ସେଣ୍ଟର (ଜେଟିଡବ୍ଲ୍ୟୁସି)ର ଆକଳନ କିଛି ଭିନ୍ନ। ଏହି ସଂସ୍ଥା ଅନୁସାରେ, ବାତ୍ୟାଟି ଅତି ଭୀଷଣ ରୂପ ନେଇପାରେ, କିନ୍ତୁ ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୧୧୦ କିଲୋମିଟରକୁ ଖସି ଆସିପାରେ।

ବାତ୍ୟା ସହ ଆଉ ଏକ ଲଘୁଚାପ ଆଶଙ୍କା

ଏପଟେ, ଅନ୍ୟ ଏକ ପାଣିପାଗ ମଡେଲ୍‌ର ଆକଳନ ଅନୁସାରେ, ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ର ଉପକୂଳ ଛୁଇଁବା ସମୟରେ ଓଡ଼ିଶା ଉପକୂଳ ଆଡ଼କୁ ଆଉ ଏକ ଲଘୁଚାପ ପ୍ରବେଶ କରିପାରେ। ଗୋପାଳପୁରରୁ ପାରାଦୀପ ମଧ୍ୟବର୍ତ୍ତୀ ସମୁଦ୍ର ଅଞ୍ଚଳରେ ଏହାର ପ୍ରଭାବ ରହିଲେ ସାରା ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ।

ତେବେ ଏହି ଆକଳନଗୁଡ଼ିକ ମଧ୍ୟରେ କିଛି ଭିନ୍ନତା ରହିଥିବାରୁ ବାତ୍ୟାର ଗତିପଥ, ତୀବ୍ରତା ଓ ବର୍ଷାର ପରିମାଣ ଉପରେ ପାଣିପାଗ ବିଭାଗର ପରବର୍ତ୍ତୀ ବୁଲେଟିନ୍ ଉପରେ ନଜର ରହିବ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ