ବାତ୍ୟାର ରୂପ ନେଲା ଗଭୀର ଅବପାତ, ଆଜି ରାତିରେ ହେବ ଅତି ଭୀଷଣ ବାତ୍ୟା

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଢ଼ିଲା ଚିନ୍ତା। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେଇଛି। ବାତ୍ୟାର ଗତିପଥ ଏବଂ ସମୁଦ୍ରର ଅଶାନ୍ତ ସ୍ଥିତିକୁ ଦେଖି ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସତର୍କତା ବଢ଼ାଯାଇଛି। ସମ୍ଭାବ୍ୟ ବିପଦକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି।

୧୪୦ କିଲୋମିଟର ଛୁଇଁପାରେ ପବନର ବେଗ

ସୂଚନା ଅନୁଯାୟୀ, ବାତ୍ୟାଟି ବର୍ତ୍ତମାନ ବିଶାଖାପାଟଣାଠାରୁ ପ୍ରାୟ ୬୫୦ କିଲୋମିଟର ଦୂରରେ ରହିଛି। ଆସନ୍ତା ସୋମବାର ମଧ୍ୟରାତ୍ରି ସୁଦ୍ଧା ଏହା ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେବା ସହ ୨୭ ତାରିଖ ସୁଦ୍ଧା ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି।

ପୂର୍ବାନୁମାନ ଅନୁସାରେ, ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନରେ ବାପଟଲା ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ଉପକୂଳ ଦେଇ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିପାରେ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

୨୪ ଜିଲ୍ଲାକୁ ପ୍ରବଳ ବର୍ଷା ଆଶଙ୍କା

ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ନଜରରେ ରଖି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାର ସତର୍କ ହୋଇଛନ୍ତି। ଓଡ଼ିଶାରେ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।

ଅନ୍ୟପଟେ, ଅକ୍ଟୋବର ୨୮ ତାରିଖରେ ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ର ପ୍ରାୟ ୨୪ଟି ଜିଲ୍ଲା ପାଇଁ ରେଡ୍‌ ଆଲର୍ଟ ଜାରି ହୋଇଥିବା ସୂଚନା ମିଳିଛି।

ବାତ୍ୟାର ଗତିପଥ, ପବନର ବେଗ ଓ ବର୍ଷାର ପରିମାଣ ଉପରେ ପାଣିପାଗ ବିଭାଗ ନଜର ରଖିଛି। ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଉଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ