ମୁମ୍ବାଇ, ୦୨/୦୯: ବିପଦ ସମୟରେ ଲୋକଙ୍କ ପାଖରେ ଛିଡ଼ା ହେବାର ନିଜର ପୁରୁଣା ପରମ୍ପରାକୁ ପୁଣିଥରେ ଜାରି ରଖିଛନ୍ତି ଅଭିନେତା ସୋନୁ ସୁଦ । ନେପାଳରେ ଭୟଙ୍କର ବନ୍ୟା ପରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ସେ ନେପାଳରେ ପହଞ୍ଚିଛନ୍ତି । ତାଙ୍କ ସହ ଫାଉଣ୍ଡେସନ୍ର ଏକ ଟିମ୍ ମଧ୍ୟ ରିଲିଫ୍ ସାମଗ୍ରୀ ନେଇ ସେଠାକୁ ଯାଇଛି ।
ବନ୍ୟାରେ ଅନେକ ପରିବାର ପ୍ରଭାବିତ ହୋଇଥିବାବେଳେ ଏଭଳି ସମୟରେ ତୁରନ୍ତ ଆବଶ୍ୟକ ସାମଗ୍ରୀ ଯୋଗାଇବା ଉପରେ ଫାଉଣ୍ଡେସନ୍ ଗୁରୁତ୍ୱ ଦେଉଛି । ଭାରତରୁ ନେପାଳ ପର୍ଯ୍ୟନ୍ତ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ଚ୍ୟାଲେଞ୍ଜିଂ ହୋଇଥିଲେ ମଧ୍ୟ ଟିମ୍ ଏଥିରୁ ପଛକୁ ହଟିନାହିଁ । କମ୍ବଳ, ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପୀଡ଼ିତଙ୍କ ପାଖରେ ପହଞ୍ଚାଯାଉଛି ।
ଏକ ସାକ୍ଷାତକାରରେ ସୋନୁ ସୁଦ କହିଛନ୍ତି ଯେ କେବଳ ରିଲିଫ୍ ବାଣ୍ଟି ଦାୟିତ୍ୱ ଶେଷ କରିବା ତାଙ୍କ ଉଦ୍ଦେଶ୍ୟ ନୁହେଁ । ବନ୍ୟା ପରବର୍ତ୍ତୀ ସମୟରେ ପ୍ରଭାବିତ ପରିବାରଗୁଡ଼ିକ କିପରି ପୁଣି ସ୍ୱାଭାବିକ ଜୀବନକୁ ଫେରିବେ, ସେଥିପାଇଁ ଦୀର୍ଘମିଆଦୀ ସହାୟତା ଦେବାକୁ ତାଙ୍କ ଫାଉଣ୍ଡେସନ୍ ଯୋଜନା କରୁଛି ।
ମାସେ ନୁହେଁ, ଆଗକୁ ମଧ୍ୟ ଚାଲିବ ସହାୟତା
ସୋନୁଙ୍କ କହିବା ଅନୁସାରେ, ଏହି ସଙ୍କଟର ପ୍ରାରମ୍ଭିକ ପର୍ଯ୍ୟାୟ ଶେଷ ହେବା ପରେ ମଧ୍ୟ ସହାୟତା ବନ୍ଦ ହେବ ନାହିଁ । ପ୍ରଭାବିତ ଅଞ୍ଚଳରେ ଟିମ୍ ରହି ସ୍ଥିତି ଅନୁଧ୍ୟାନ କରୁଛି । କେଉଁ ପରିବାରକୁ କେଉଁ ପ୍ରକାରର ସହାୟତା ଆବଶ୍ୟକ, ତାହା ଆକଳନ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ।
କୋଭିଡ୍ ମହାମାରୀ ସମୟରେ ପ୍ରବାସୀ ଶ୍ରମିକ ଓ ଅସହାୟ ଲୋକଙ୍କୁ ସହାୟତା କରି ଚର୍ଚ୍ଚାକୁ ଆସିଥିବା ସୋନୁ ସୁଦ ପୁଣିଥରେ ତାଙ୍କ ମାନବିକ ପଦକ୍ଷେପ ପାଇଁ ପ୍ରଶଂସା ସାଉଁଟୁଛନ୍ତି । ନେପାଳର ବିପନ୍ନଙ୍କ ପାଇଁ ତାଙ୍କ ଏହି ପଦକ୍ଷେପକୁ ସୋସିଆଲ ମିଡିଆରେ ମଧ୍ୟ ଅନେକ ଲୋକ ପ୍ରଶଂସା କରୁଛନ୍ତି ।

