ନୂଆଦିଲ୍ଲୀ: ଭାରତରେ ସୁନା ଆମଦାନୀ ଧୀରେଧୀରେ କମିବାରେ ଲାଗିଛି। ଦେଶବାସୀଙ୍କୁ ସୁନା କିଣାକୁ ନେଇ ପୁନର୍ବିଚାର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେବା ପରେ ଏହି ଧାରା ଦେଖାଦେଇଥିଲେ ମଧ୍ୟ, ଏହାର ପଛରେ ଅନ୍ୟାନ୍ୟ ଆର୍ଥିକ କାରଣ ମଧ୍ୟ ରହିଛି। ସୁନା ଓ ରୁପା ଉପରେ କଷ୍ଟମ୍ସ ଡ୍ୟୁଟି ବୃଦ୍ଧି ଏବଂ ସୁନାର ଉଚ୍ଚ ଦର ମଧ୍ୟ ଆମଦାନୀ କମିବାର ପ୍ରମୁଖ କାରଣ ବୋଲି ତଥ୍ୟରୁ ଜଣାପଡ଼ିଛି।
ଦେଶର ବଢ଼ୁଥିବା ଆମଦାନୀ ବିଲ୍କୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ମେ’ ମାସରେ ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କୁ ସୁନା କିଣିବା ନେଇ ସଚେତନ ହେବାକୁ କହିଥିଲେ। ଏହା ପରବର୍ତ୍ତୀ ସମୟରେ ଭାରତର ସୁନା ଆମଦାନୀରେ ହ୍ରାସ ଜାରି ରହିଛି।
ମେ’ରେ ଭାରତ ପ୍ରାୟ ୨୯.୪ ଟନ୍ ସୁନା ଆମଦାନୀ କରିଥିଲା। ଗତବର୍ଷ ଏହି ସମୟରେ ଆମଦାନୀ ପରିମାଣ ୩୦.୬ ଟନ୍ ଥିଲା। ଅର୍ଥାତ୍ ବାର୍ଷିକ ତୁଳନାରେ ଆମଦାନୀ ପ୍ରାୟ ୪ ପ୍ରତିଶତ ହ୍ରାସ ପାଇଥିଲା। ଜୁନ୍ରେ ଏହି ହ୍ରାସ ପ୍ରାୟ ୨୦ ପ୍ରତିଶତକୁ ବଢ଼ିଥିଲା। ଜୁଲାଇରେ ମଧ୍ୟ ସୁନା ଆମଦାନୀ ୨୩.୭ ପ୍ରତିଶତ କମିଥିବା ମେଟାଲ୍ସ ଫୋକସ୍ର ତଥ୍ୟରୁ ଜଣାପଡ଼ିଛି।
ଅଗଷ୍ଟରେ ମଧ୍ୟ ଏହି ଧାରା ଜାରି ରହିବାର ଆଶଙ୍କା ରହିଛି। ଅଲ୍ ଇଣ୍ଡିଆ ଜେମ୍ ଆଣ୍ଡ ଜ୍ୱେଲେରୀ ଡୋମେଷ୍ଟିକ୍ କାଉନସିଲ୍ର ଆକଳନ ଅନୁଯାୟୀ, ଅଗଷ୍ଟରେ ଭାରତ ପ୍ରାୟ ୪୫ ଟନ୍ ସୁନା ଆମଦାନୀ କରିପାରେ। ଗତବର୍ଷ ଅଗଷ୍ଟରେ ୬୪.୨ ଟନ୍ ସୁନା ଆମଦାନୀ ହୋଇଥିଲା। ଏହା ତୁଳନାରେ ଚଳିତ ବର୍ଷ ଆମଦାନୀ ପ୍ରାୟ ୩୦ ପ୍ରତିଶତ କମିପାରେ।
କେବଳ ମୋଦିଙ୍କ ଅପିଲ୍ ନୁହେଁ
ସୁନା ଆମଦାନୀ ହ୍ରାସ ପାଇଁ କେବଳ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଦାୟୀ କରିବା ଠିକ୍ ନୁହେଁ। ମେ’ ମାସରେ ସରକାର ସୁନା ଓ ରୁପା ଉପରେ କଷ୍ଟମ୍ସ ଡ୍ୟୁଟି ୬ ପ୍ରତିଶତରୁ ବଢ଼ାଇ ୧୫ ପ୍ରତିଶତ କରିଥିଲେ। ଏହା ଫଳରେ ବିଦେଶରୁ ସୁନା ଆଣିବା ଖର୍ଚ୍ଚ ବଢ଼ିଥିଲା। ଅନ୍ୟପଟେ ସୁନା ଦର ଉଚ୍ଚ ସ୍ତରରେ ରହିବାରୁ ଗ୍ରାହକଙ୍କ ଚାହିଦା ମଧ୍ୟ ପ୍ରଭାବିତ ହୋଇଛି।
ବର୍ଷ ଆରମ୍ଭରେ ହୋଇଥିଲା ବଡ଼ ବୃଦ୍ଧି
ଚଳିତ ବର୍ଷର ପ୍ରଥମ ଦୁଇ ମାସରେ ଭାରତର ସୁନା ଆମଦାନୀରେ ଉଲ୍ଲେଖନୀୟ ବୃଦ୍ଧି ହୋଇଥିଲା। ଜାନୁଆରୀରେ ଆମଦାନୀ ୧୭୧.୬ ପ୍ରତିଶତ ବଢ଼ି ୯୯.୪ ଟନ୍ରେ ପହଞ୍ଚିଥିଲା। ଗତବର୍ଷ ଜାନୁଆରୀରେ ଏହା ୩୬.୬ ଟନ୍ ଥିଲା।
ଫେବ୍ରୁଆରୀରେ ମଧ୍ୟ ଆମଦାନୀ ୧୧୪.୩ ପ୍ରତିଶତ ବଢ଼ି ୬୬ ଟନ୍ ହୋଇଥିଲା। ତେବେ ମାର୍ଚ୍ଚରେ ଏହି ଧାରା ବଦଳିଥିଲା। ଏହି ମାସରେ ସୁନା ଆମଦାନୀ ୩୪.୯ ପ୍ରତିଶତ କମି ୩୨.୯ ଟନ୍ ହୋଇଥିଲା। ଏପ୍ରିଲ୍ରେ ପୁଣି ୩୦.୭ ପ୍ରତିଶତ ବୃଦ୍ଧି ପାଇ ଆମଦାନୀ ୪୫.୬ ଟନ୍ରେ ପହଞ୍ଚିଥିଲା।

