ଭୁବନେଶ୍ୱର: କେରଳରେ ପହଞ୍ଚିଲା ମୌସୁମୀ ବାୟୁ । ଶନିବାର ପୂର୍ବାହ୍ନରେ ଏହା କେରଳ ଛୁଇଁଛି । ପାଣିପାଗ ବିଭାଗ ଆକଳନର ସପ୍ତାହକ ପୂର୍ବରୁ ଏଥର ମୌସୁମୀ କେରଳ ଛୁଇଁଛି । ଗତ ଦୁଇ ଦିନ ଧରି କେରଳର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଗତ ୧୬ ବର୍ଷ ମଧ୍ୟରେ ଏହି ବର୍ଷ ମୌସୁମୀ କେରଳରେ ସବୁଠାରୁ ଶୀଘ୍ର ପହଞ୍ଚିଛି।
ସାଧାରଣତଃ ମୌସୁମୀ ଜୁନ୍ ୧ ତାରିଖରେ କେରଳରେ ପହଞ୍ଚିଥାଏ। ୨୦୦୯ ଏବଂ ୨୦୦୧ ମସିହାରେ ମଧ୍ୟ ସଅଳ ପହଞ୍ଚିଥିଲା। ମୌସୁମୀ ଆଗମନ ପାଇଁ ଅନୁକୂଳ ପରିସ୍ଥିତି ଥିବାରୁ ଏଥର ଶୀଘ୍ର ଆସିଛି । ପ୍ରଥମ ଥର ପାଇଁ ୧୯୧୮ ମଇ ୧୧ ତାରିଖରେ କେରଳରେ ଶୀଘ୍ର ପହଞ୍ଚିଥିଲା ମୌସୁମୀ । ମୌସୁମୀ ବିଳମ୍ବରେ ଆସିବାର ରେକର୍ଡ ୧୯୭୨ ମସିହାରେ ଥିଲା, ସେତେବେଳେ ଜୁନ୍ ୧୮ ତାରିଖରେ ବର୍ଷା ହୋଇଥିଲା । ଗତ ୨୫ ବର୍ଷ ମଧ୍ୟରେ ସବୁଠାରୁ ବିଳମ୍ବରେ ମୌସୁମୀ ଆସିବା ୨୦୧୬ ମସିହାରେ ହୋଇଥିଲା, ଜୁନ୍ ୯ ତାରିଖରେ କେରଳରେ ପ୍ରବେଶ କରିଥିଲା ମୌସୁମୀ ।
ମଇ ୨୯ ପର୍ୟ୍ୟନ୍ତ କେରଳ ଏବଂ ଉପକୂଳ କର୍ଣ୍ଣାଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ବେଗରେ ପ୍ରବଳ ପବନ ବହିବ। ଆଗାମୀ ୫ ଦିନ ମଧ୍ୟରେ ତାମିଲନାଡୁ, ତେଲଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

