ନୂଆଦିଲ୍ଲୀ: ଫୁକେଟରୁ ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏଆର୍-୨୩୭୯ ବିମାନ ଭୟଙ୍କର ଟର୍ବୁଲାନ୍ସରେ ପଡ଼ିବା ଘଟଣା ଏବେ ନୂଆ ମୋଡ଼ ନେଇଛି। ଅଗଷ୍ଟ ୪ ତାରିଖରେ ଘଟିଥିବା ଏହି ଘଟଣାର ତଦନ୍ତ ସମୟରେ ବିମାନର ଜଣେ ପାଇଲଟଙ୍କ ଡୋପ୍ ଟେଷ୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିଛି।
ସୂତ୍ର ଅନୁସାରେ, ପରୀକ୍ଷାରେ ଜଣେ ପାଇଲଟଙ୍କ ନମୁନାରେ ମାନସିକ ସ୍ଥିତିକୁ ପ୍ରଭାବିତ କରିପାରୁଥିବା ଏକ ‘ସାଇକୋଆକ୍ଟିଭ୍’ ପଦାର୍ଥ ମିଳିଛି। ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଉଭୟ ପାଇଲଟଙ୍କୁ ଗ୍ରାଉଣ୍ଡେଡ୍ କରାଯାଇଥିବା ଜଣାପଡ଼ିଛି।ଅଗଷ୍ଟ ୪ରେ ଫୁକେଟରୁ ଦିଲ୍ଲୀ ଆସୁଥିବା ଏ-୩୨୦ ବିମାନଟି ଦିଲ୍ଲୀ ନିକଟରେ ପହଞ୍ଚୁଥିବା ବେଳେ ହଠାତ୍ ଭୟଙ୍କର ଟର୍ବୁଲାନ୍ସରେ ପଡ଼ିଥିଲା। ଏହାର ପ୍ରଭାବରେ ବିମାନଟି ପ୍ରାୟ ୩୦୦ ଫୁଟ୍ ତଳକୁ ଖସିଥିବା ସୂଚନା ମିଳିଥିଲା। ଘଟଣାରେ କିଛି ଯାତ୍ରୀ ଓ କ୍ରୁ ସଦସ୍ୟ ସାମାନ୍ୟ ଆହତ ହୋଇଥିଲେ।ପରେ ବିମାନଟି ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରିଥିଲା। ଆହତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ବିମାନବନ୍ଦରର ମେଡିକାଲ୍ ସେଣ୍ଟରରେ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା।
ଏହି ଘଟଣାର ତଦନ୍ତ କରୁଛି ଡିଜିସିଏ। ବିମାନର ଉଚ୍ଚତା ହଠାତ୍ କାହିଁକି ପରିବର୍ତ୍ତନ ହେଲା, ଟର୍ବୁଲାନ୍ସ ସମୟରେ ପାଇଲଟମାନେ ନିର୍ଦ୍ଦିଷ୍ଟ ସୁରକ୍ଷା ପ୍ରୋଟୋକଲ୍ ପାଳନ କରିଥିଲେ କି ନାହିଁ ଏବଂ ବିମାନକୁ ଦିଲ୍ଲୀ ନେଇଆସିବାର ନିଷ୍ପତ୍ତି ଠିକ୍ ଥିଲା କି ନାହିଁ, ସେସବୁ ଦିଗରୁ ଯାଞ୍ଚ ଚାଲିଛି।ପାଇଲଟମାନଙ୍କ ପାଇଁ ନିଶାଦ୍ରବ୍ୟ କିମ୍ବା ମାନସିକ ସ୍ଥିତିକୁ ପ୍ରଭାବିତ କରୁଥିବା ପଦାର୍ଥ ସେବନ ଉପରେ କଠୋର ନିୟମ ରହିଛି।
ତେବେ ଡୋପ୍ ଟେଷ୍ଟ ପଜିଟିଭ୍ ଆସିଥିବାରୁ ପାଇଲଟ୍ ଉଡ଼ାଣ ସମୟରେ ନିଶାସକ୍ତ ଥିଲେ ବୋଲି ଏବେଠାରୁ ନିଶ୍ଚିତ ଭାବେ କହିହେବ ନାହିଁ।ଏପର୍ଯ୍ୟନ୍ତ ଡିଜିସିଏ କିମ୍ବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହି ଡୋପ୍ ଟେଷ୍ଟ ରିପୋର୍ଟ ନେଇ କୌଣସି ଆନୁଷ୍ଠାନିକ ବୟାନ ଆସିନାହିଁ। ତେଣୁ ତଦନ୍ତ ଶେଷ ହେବା ଓ ଡିଜିସିଏର ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ହିଁ ଘଟଣାର ପ୍ରକୃତ କାରଣ ଏବଂ ପାଇଲଟଙ୍କ ଭୂମିକା ସ୍ପଷ୍ଟ ହେବ।

