ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପୁଣି ତୀବ୍ର ହୋଇଛି ରାଜନୈତିକ ବିବାଦ। ଯାଦବପୁରର ଟିଏମସି ସାଂସଦ ତଥା ଅଭିନେତ୍ରୀ ସାୟନୀ ଘୋଷଙ୍କୁ ନେଇ ଦଳ ଭିତରେ ଅସନ୍ତୋଷ ତୀବ୍ର ହୋଇଛି। କୋଲକାତାର ଗଡ଼ଫା ଅଞ୍ଚଳରେ ଥିବା ସାୟନୀ ଘୋଷଙ୍କ କାର୍ଯ୍ୟାଳୟରେ କିଛି ଦଳୀୟ କର୍ମୀ ତାଲା ପକାଇଥିବା ଅଭିଯୋଗ ହୋଇଛି।
ଏହାସହ କାର୍ଯ୍ୟାଳୟ ବାହାରେ ଥିବା ସାୟନୀଙ୍କ ନାମଫଳକ ମଧ୍ୟ ହଟାଇ ଦିଆଯାଇଛି। ଘଟଣାସ୍ଥଳରେ ‘ଗଦ୍ଦାର’ ଏବଂ ‘ଗୋ ବ୍ୟାକ୍ ସାୟନୀ’ ଲେଖାଥିବା ପୋଷ୍ଟର ଲଗାଯାଇଥିବା ଜଣାପଡ଼ିଛି।
୨୦୨୪ ଲୋକସଭା ନିର୍ବାଚନରେ ସାୟନୀ ଘୋଷ ଯାଦବପୁର ଆସନରୁ ଟିଏମସି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ତେବେ ନିକଟରେ ତାଙ୍କ ବିରୋଧରେ ଦଳୀୟ ନିର୍ଦ୍ଦେଶ ଅମାନ୍ୟ କରିବା ଏବଂ ବିରୋଧୀ ଗୋଷ୍ଠୀକୁ ସମର୍ଥନ କରିବା ନେଇ ଅଭିଯୋଗ ଉଠିଛି। ଏହାକୁ ନେଇ ଟିଏମସିର ଏକ ଗୋଷ୍ଠୀର କର୍ମୀମାନେ କ୍ଷୁବ୍ଧ ହୋଇଥିବା କୁହାଯାଉଛି।
ବିକ୍ଷୋଭକାରୀଙ୍କ ଅଭିଯୋଗ ହେଉଛି, ଦଳର ସମ୍ବଳ ଓ କର୍ମୀଙ୍କ ପରିଶ୍ରମରେ ତିଆରି ହୋଇଥିବା କାର୍ଯ୍ୟାଳୟକୁ ବ୍ୟବହାର କରି ସାୟନୀ ଅନ୍ୟ ରାଜନୈତିକ ଗୋଷ୍ଠୀକୁ ସମର୍ଥନ କରୁଛନ୍ତି। ଏହାକୁ ନେଇ କର୍ମୀମାନେ ତାଙ୍କ ବିରୋଧରେ ନାରାବାଜି କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଉତ୍ତେଜନା ପରେ ପୋଲିସ ମୁତୟନ
ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ବଢ଼ିବା ପରେ ଗଡ଼ଫା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ତେବେ ଏହି ଘଟଣାକୁ ନେଇ ସାୟନୀ ଘୋଷ କିମ୍ବା ଟିଏମସିର ବରିଷ୍ଠ ନେତୃତ୍ୱଙ୍କ ପକ୍ଷରୁ ତତ୍କାଳ କୌଣସି ପ୍ରତିକ୍ରିୟା ମିଳିନଥିବା ଜଣାପଡ଼ିଛି।
ଅଫିସରେ ତାଲା ପକାଯିବା ଓ ସାୟନୀଙ୍କ ବିରୋଧରେ ପୋଷ୍ଟର ଲଗାଯିବା ଘଟଣା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

