ସୃଷ୍ଟି ହେବ ଲଘୁଚାପ ! ଆସିବ କି ବାତ୍ୟା ?

ଭୁବନେଶ୍ୱର, ୧୩/୧୦: ଓଡ଼ିଶାରୁ ଧୀରେ ଧୀରେ ବିଦାୟ ନେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ। ଏହାରି ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଆକାଶ ମେଘୁଆ ରହୁଥିବାବେଳେ ଆଗାମୀ ଦିନଗୁଡ଼ିକରେ ପାଗରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଦିନ ଓ ରାତିର ତାପମାତ୍ରା ମଧ୍ୟ ପ୍ରାୟତଃ ସ୍ଥିର ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାରେ କେତେ ବର୍ଷା?

ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ମଙ୍ଗଳବାର ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପର ରୂପ ନେଇପାରେ। ତେବେ ଏହାର ପ୍ରଭାବରେ ଓଡ଼ିଶାରେ ବଡ଼ ଧରଣର ବର୍ଷା ହେବାର ଆଶଙ୍କା କମ୍ ରହିଛି। ଆସନ୍ତା ୧୭ ଓ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

୧୭ରୁ ୧୯ ଯାଏଁ ଏହି ଜିଲ୍ଲାରେ ବର୍ଷା ସମ୍ଭାବନା

କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁସାରେ, ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ପଶ୍ଚିମ, ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିପାରେ। ଅନ୍ୟପଟେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଅଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।

ତାଙ୍କ ଆକଳନ ଅନୁଯାୟୀ, ଅକ୍ଟୋବର ୧୭ରୁ ୧୯ ତାରିଖ ମଧ୍ୟରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଏହି ଜିଲ୍ଲାଗୁଡ଼ିକର ଅଳ୍ପ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ହେବାର ମଧ୍ୟ ସମ୍ଭାବନା ରହିଛି। ତେବେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପାଗ ପ୍ରାୟତଃ ଶୁଖିଲା ରହିପାରେ।

ବିଜୟା ଦଶମୀରେ ପାଗ ଶୁଖିଲା, ବଢ଼ିବ ଥଣ୍ଡା!

ଅକ୍ଟୋବର ୨୦ ତାରିଖ ବିଜୟା ଦଶମୀରେ ରାଜ୍ୟର ପାଗରେ ସୁଧାର ଆସିବା ସମ୍ଭାବନା ରହିଛି। ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବା ସହ ଆକାଶ ନିର୍ମଳ ହୋଇପାରେ। ବାୟୁମଣ୍ଡଳରେ ଆର୍ଦ୍ରତା କମିବା ଯୋଗୁଁ ରାତି ସମୟରେ ଥଣ୍ଡା ଅନୁଭୂତ ହେବାର ଆଶଙ୍କା ରହିଛି।

ବିଶେଷକରି କନ୍ଧମାଳ ଓ କୋରାପୁଟର ପାହାଡ଼ିଆ ଏବଂ ଉପତ୍ୟକା ଅଞ୍ଚଳରେ ଥଣ୍ଡାର ପ୍ରଭାବ ଅଧିକ ରହିପାରେ। ନିକଟରେ ଫୁଲବାଣୀ ଓ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୧୯ରୁ ୨୦ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ଆଗାମୀ ଦିନରେ ପାହାଡ଼ିଆ ଅଞ୍ଚଳରେ ରାତି ତାପମାତ୍ରା ଆହୁରି କମିପାରେ।

ସେହିପରି ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ଧୀରେ ଧୀରେ ଥଣ୍ଡା ବଢ଼ିବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ମଧ୍ୟ ଭୋର ସମୟରେ ହାଲୁକା ଥଣ୍ଡା ଅନୁଭୂତ ହୋଇପାରେ।

ଏଭଳି ସ୍ଥିତିରେ ଦଶହରା ସମୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ଅନୁକୂଳ ରହିବାର ଆକଳନ କରାଯାଉଛି। ତେବେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ