ନୂଆଦିଲ୍ଲୀ: ସୁନା ଓ ରୁପା କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର। ଲଗାତାର ବୃଦ୍ଧି ପରେ ଏବେ ଉଭୟ ମୂଲ୍ୟବାନ ଧାତୁର ଦରରେ ଦେଖିବାକୁ ମିଳିଛି ବଡ଼ ହ୍ରାସ। ସୁନା ଦର ପ୍ରାୟ ୧ ଲକ୍ଷ ଟଙ୍କା ସ୍ତର ଆଡ଼କୁ ଖସୁଥିବା ବେଳେ ରୁପା ଦର ମଧ୍ୟ ୧୧ ମାସ ପରେ ୧.୭୦ ଲକ୍ଷ ଟଙ୍କା ସ୍ତରକୁ ଆସିଛି।
ସୋମବାର ସୁନା ଦରରେ ଉଲ୍ଲେଖନୀୟ ହ୍ରାସ ରେକର୍ଡ ହୋଇଛି। ୧୮ କ୍ୟାରେଟ ସୁନାର ୧୦ ଗ୍ରାମ ପିଛା ମୂଲ୍ୟ ୬୨୦ ଟଙ୍କା କମି ୧.୦୨ ଲକ୍ଷ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ ସୁନାର ଦର ୭୫୦ ଟଙ୍କା ହ୍ରାସ ପାଇ ୧,୨୫,୪୦୦ ଟଙ୍କା ହୋଇଛି।
ଅନ୍ୟପକ୍ଷରେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ପିଛା ଦର ୮୨୦ ଟଙ୍କା ହ୍ରାସ ପାଇ ୧,୩୬,୮୦୦ ଟଙ୍କାକୁ ଖସିଛି। ଫଳରେ ସୁନା କିଣିବାକୁ ଅପେକ୍ଷା କରିଥିବା ଗ୍ରାହକଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି।
କେବଳ ସୁନା ନୁହେଁ, ରୁପା ଦରରେ ମଧ୍ୟ ବଡ଼ ଧରଣର ହ୍ରାସ ହୋଇଛି। କିଲୋଗ୍ରାମ ପିଛା ରୁପା ଦର ୫ ହଜାର ଟଙ୍କା କମି ୧.୯୦ ଲକ୍ଷ ଟଙ୍କା ରହିଛି। ତେବେ ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (IBJA)ର ତଥ୍ୟ ଅନୁସାରେ, ସୋମବାର ରୁପା ଦର କିଲୋଗ୍ରାମ ପିଛା ୭,୭୪୯ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇ ୧.୭୦ ଲକ୍ଷ ଟଙ୍କା ସ୍ତରକୁ ଖସିଛି।
ଦୀର୍ଘ ୧୧ ମାସ ପରେ ରୁପା ଦର ପୁଣି ଥରେ ୧.୭୦ ଲକ୍ଷ ଟଙ୍କା ସ୍ତରକୁ ଫେରିଛି। ଏହା ପୂର୍ବରୁ ୨୦୨୫ ଡିସେମ୍ବର ୧ ତାରିଖରେ ରୁପା ଦର ୧.୬୪ ଲକ୍ଷ ଟଙ୍କା ଥିବାବେଳେ ଡିସେମ୍ବର ୨ରେ ଏହା ୧.୭୩ ଲକ୍ଷ ଟଙ୍କାରେ ପହଞ୍ଚିଥିଲା।
ଚଳିତ ମାସରେ ଏପର୍ଯ୍ୟନ୍ତ ରୁପା ଦର ପ୍ରାୟ ୧୭ ହଜାର ଟଙ୍କା ଏବଂ ସୁନା ଦର ୬ ହଜାର ଟଙ୍କାରୁ ଅଧିକ କମିଲାଣି। ଅକ୍ଟୋବର ୩୦ ତାରିଖରେ ରୁପା କିଲୋଗ୍ରାମ ପିଛା ୧.୮୬ ଲକ୍ଷ ଟଙ୍କା ଏବଂ ସୁନା ୧.୪୦ ଲକ୍ଷ ଟଙ୍କା ସ୍ତରରେ ରହିଥିଲା।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ସୁନା ଓ ରୁପା ଦରରେ ଲଗାତାର ବୃଦ୍ଧି ହୋଇଥିଲା। ରୁପା ଦର ଡିସେମ୍ବର ୩୧ରେ ୨.୩୦ ଲକ୍ଷ ଟଙ୍କା ଥିବାବେଳେ ଜାନୁଆରିରେ ଏହା ସର୍ବକାଳୀନ ରେକର୍ଡ ୩.୮୬ ଲକ୍ଷ ଟଙ୍କା ଛୁଇଁଥିଲା। ଏବେ କିନ୍ତୁ ରେକର୍ଡ ସ୍ତରରୁ ରୁପା ଦରରେ କିଲୋଗ୍ରାମ ପିଛା ପ୍ରାୟ ୨.୧୬ ଲକ୍ଷ ଟଙ୍କା ହ୍ରାସ ଘଟିଛି।

