ଧୋକା ଦେଲା ଆମାଜନ : ମଗେଇଥିଲେ ଘଣ୍ଟା ଆସିଲା ଏମିତି ଜିନିଷ

**ନୂଆଦିଲ୍ଲୀ: ଅନଲାଇନ୍‌ରେ ଦାମୀ ସାମଗ୍ରୀ ଅର୍ଡର କରୁଛନ୍ତି କି? ତେବେ ସାବଧାନ! ଅନେକ ସମୟରେ ଅର୍ଡର କରିଥିବା ଜିନିଷ ବଦଳରେ ପାର୍ସଲରୁ ଅନ୍ୟ କିଛି ବାହାରୁଥିବା ଘଟଣା ସାମ୍ନାକୁ ଆସୁଛି। ଏବେ ଏଭଳି ଏକ ଘଟଣାରେ ଇ-କମର୍ସ କମ୍ପାନୀ ଆମାଜନକୁ ଶକ୍ତ ଝଟ୍‌କା ଲାଗିଛି। ୨୭ ହଜାର ଟଙ୍କାର ଦାମୀ ଘଣ୍ଟା ଅର୍ଡର କରିଥିବା ଜଣେ ମହିଳାଙ୍କୁ ପାର୍ସଲ ଭିତରୁ ଘଣ୍ଟା ବଦଳରେ ମିଳିଥିଲା କଳା ପଲିଥିନ୍ ରୋଲ୍। ଏହି ଘଟଣାରେ ଖାଉଟି ଅଦାଲତ ଆମାଜନ ଓ ସମ୍ପୃକ୍ତ ବିକ୍ରେତାଙ୍କୁ ଦାୟୀ କରିଛନ୍ତି। ଏଥିସହ ମହିଳାଙ୍କୁ ସୁଧ ସମେତ ମୋଟ ୫୮ ହଜାର ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଘଣ୍ଟା ବଦଳରେ ମିଳିଲା ପଲିଥିନ୍

ଘଟଣାଟି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର। ଅଭିଯୋଗକାରିଣୀ କୌସରୀ ଖାନୁମ୍ ୨୦୨୫ ମେ ୫ ତାରିଖରେ ନିଜ ପୁଅ ପାଇଁ ଆମାଜନରୁ ଏକ ଦାମୀ ସିକୋ ହାତଘଣ୍ଟା ଅର୍ଡର କରିଥିଲେ। ସବୁଜ ଡାଏଲ୍ ଓ ରୂପା ରଙ୍ଗର ଷ୍ଟ୍ରାପ୍ ଥିବା ଏହି ଘଣ୍ଟାର ପ୍ରକୃତ ମୂଲ୍ୟ ୩୦ ହଜାର ଟଙ୍କା ଥିବାବେଳେ ରିହାତି ପରେ ସେ ୨୭ ହଜାର ଟଙ୍କା ଦେଇଥିଲେ। ଏହାବ୍ୟତୀତ ଆମାଜନ ପ୍ରାଇମ୍ ସଦସ୍ୟତା ପାଇଁ ଆଉ ୩୯୯ ଟଙ୍କା ମଧ୍ୟ ଦେଇଥିଲେ।

ମେ ୧୨ ତାରିଖରେ ପାର୍ସଲ ଡେଲିଭରି ହେବାର ଥିଲା। ହେଲେ ଏହାର ଦିନକ ପୂର୍ବରୁ ଅର୍ଥାତ୍ ମେ ୧୧ରେ ଡେଲିଭରି ଏଜେଣ୍ଟ ପ୍ୟାକେଟ୍ ନେଇ ପହଞ୍ଚିଥିଲେ। କିନ୍ତୁ ପାର୍ସଲ ଖୋଲିବା ପରେ କୌସରୀଙ୍କ ହୋସ୍ ଉଡ଼ିଯାଇଥିଲା। କାରଣ ଏତେ ଟଙ୍କାର ଘଣ୍ଟା ବଦଳରେ ପ୍ୟାକେଟ୍ ଭିତରୁ ବାହାରିଥିଲା ଏକ କଳା ରଙ୍ଗର ପଲିଥିନ୍ ରୋଲ୍।

ଅଭିଯୋଗ ପରେ ବି ମିଳିଲାନି ଟଙ୍କା

ଏହାପରେ ମହିଳା ଜଣକ ତୁରନ୍ତ ଆମାଜନ କଷ୍ଟମର କେୟାରରେ ଅଭିଯୋଗ କରିବା ସହ ପାର୍ସଲ ଫେରସ୍ତ ପାଇଁ ଅନୁରୋଧ କରିଥିଲେ। ମେ ୧୩ ତାରିଖରେ ପ୍ୟାକେଟ୍ ଫେରସ୍ତ ନିଆଯାଇଥିଲା। ହେଲେ ଦୀର୍ଘ ସମୟ ପରେ ମଧ୍ୟ ତାଙ୍କୁ ଟଙ୍କା ଫେରସ୍ତ ମିଳି ନଥିଲା। ଶେଷରେ ନିରାଶ ହୋଇ ଜୁନ୍ ୨୩ ତାରିଖରେ ବିଶାଖାପାଟଣାର ଏକ ଟାଇଟନ୍ ଶୋ’ରୁମରୁ ସେହି ଘଣ୍ଟାକୁ ପୁଣି କିଣିଥିଲେ। ଏହାପରେ ନ୍ୟାୟ ପାଇଁ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ।

ଆମାଜନ ଓ ବିକ୍ରେତାଙ୍କୁ ୫୮ ହଜାର ଟଙ୍କା ଜରିମାନା

ଖାଉଟି ଅଦାଲତରେ ନିଜ ପକ୍ଷ ରଖି ବିକ୍ରେତା ‘ସମୟ ୱାଚେସ୍’ କହିଥିଲା ଯେ, ଗ୍ରାହକଙ୍କୁ ପଠାଯାଇଥିବା ପାର୍ସଲରେ ଅସଲି ଘଣ୍ଟା ରହିଥିଲା। ଏହାକୁ ଆମାଜନର ଲଜିଷ୍ଟିକ୍ସ ପାର୍ଟନରଙ୍କୁ ହସ୍ତାନ୍ତର କରାଯାଇଥିଲା। ତେଣୁ ଡେଲିଭରି ନେଟୱାର୍କ ମଧ୍ୟରେ ହିଁ ସାମଗ୍ରୀ ବଦଳାଯାଇଥିବା ବିକ୍ରେତା ଅଭିଯୋଗ କରିଥିଲା।

ତେବେ ଏହି ଘଟଣାରେ ବିଶାଖାପାଟଣା ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ-୧ ଆମାଜନ ଓ ସମ୍ପୃକ୍ତ ବିକ୍ରେତାଙ୍କୁ ଦାୟୀ କରିଛନ୍ତି। ମହିଳାଙ୍କୁ ହୋଇଥିବା ଆର୍ଥିକ କ୍ଷତି ଓ ମାନସିକ ଯନ୍ତ୍ରଣାକୁ ବିଚାରକୁ ନେଇ ସୁଧ ସମେତ ମୋଟ ୫୮ ହଜାର ଟଙ୍କା ପ୍ରଦାନ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ