ଭୁବନେଶ୍ୱର: ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ବାତ୍ୟା ‘ଅକଭାନ୍’। ସମୁଦ୍ର ଭିତରେ ଧୀରେ ଧୀରେ ବଳ ଗୋଟାଉଛି ଏହି ସାମୁଦ୍ରିକ ଝଡ଼। ସୋମବାର ସନ୍ଧ୍ୟାରେ ବାତ୍ୟାର ରୂପ ନେଇଥିବା ଅକଭାନ୍ ମଙ୍ଗଳବାର ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (IMD)।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ନଭେମ୍ବର ୨୦ ତାରିଖ ଶୁକ୍ରବାର ଦିନ ବେଳା ଆନ୍ଧ୍ରପ୍ରଦେଶ ଓ ୟନମ ଉପକୂଳ ମଧ୍ୟରେ ନେଲୋର ଓ ଟୁନି ଅଞ୍ଚଳ ନିକଟରେ ସ୍ଥଳଭାଗ ଛୁଇଁବ ବାତ୍ୟା। ଏହି ସମୟରେ ଏହା ଅତି ଭୀଷଣ ବାତ୍ୟାର ରୂପ ନେଇଥିବ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୪୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।
ଅନ୍ୟପଟେ ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡ଼ିବାର ଆଶଙ୍କା ନଥିଲେ ମଧ୍ୟ ବର୍ଷାକୁ ନେଇ ଚିନ୍ତା ବଢ଼ିଛି। ନଭେମ୍ବର ୧୮ ତାରିଖରୁ ରାଜ୍ୟରେ ପାଗ ବଦଳିବା ସହ ବର୍ଷା ଆରମ୍ଭ ହେବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦ କିଲୋମିଟର ରହିପାରେ। ୧୯ ତାରିଖରୁ ପବନର ବେଗ ଆହୁରି ବଢ଼ିବାର ସମ୍ଭାବନା ରହିଛି।
ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ବାତ୍ୟାର ପ୍ରଭାବରେ ୧୮ ତାରିଖରୁ ଓଡ଼ିଶାରେ ବର୍ଷା ହେବ। ବିଶେଷକରି ଦକ୍ଷିଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏଥିସହ ଉତ୍ତର ଓଡ଼ିଶାରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି।
ବାତ୍ୟାର ବାହ୍ୟବଳୟ ଓଡ଼ିଶାର କେତେକ ଅଞ୍ଚଳକୁ ପ୍ରଭାବିତ କରିବ। ତେଣୁ ବାତ୍ୟା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବାକୁ ଥିଲେ ମଧ୍ୟ ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନର ପ୍ରଭାବ ଅନୁଭୂତ ହୋଇପାରେ।

