ଜନ୍ମ ମୃତ୍ୟୁ ଖେଳରେ ତିଷ୍ଠି ରହିଛି ପୃଥିବୀ । ଏଠାରେ ପ୍ରତି ସେକେଣ୍ଡରେ ଲକ୍ଷ ଲକ୍ଷ ନୂଆ ଜୀବନ ସୃଷ୍ଟି ହୁଏ । କୋଟି କୋଟି ଜୀବନ ଝଡି ପଡେ । କୁହାଯାଏ ମିଛ ସଂସାରରେ ଜନ୍ମ ଆଉ ମୃତ୍ୟୁ ଛଡା ଆଉ କିଛି ସତ୍ୟତା ନାହିଁ । ଯିଏ ଧରା ଲୋକରେ ଜନ୍ମ ହୋଇଛି, ତାର ମୃତ୍ୟୁ ସୁନିଶ୍ଚିତ । ସେହିପରି ସନାତନ ଧର୍ମରେ ମରଣକୁ ନେଇ ରହିଛି ଅନେକ କଥା । ଅକାଳ ମୃତ୍ୟୁକୁ ଏଡାଇବାର ପ୍ରକ୍ରିୟା ବି ଉଲ୍ଲେଖ କରାଯାଇଛି ।
ସନାତନ ଧର୍ମର ରହିଛି ୧୮ ମହାପୁରାଣ । ଏହା ମଧ୍ୟରୁ ଅନ୍ୟତମ ଗରୁଡ଼ ପୁରାଣ । ଯେଉଁଥିରେ ମନୁଷ୍ୟ ଜୀବନ ବିଷୟରେ ରହିଛି ଅନେକ ବର୍ଣ୍ଣନା । ଏହା ସହ ମୃତ୍ୟୁ ପରବର୍ତ୍ତୀ କଥା ବି ଏଥିରେ ଅଛି ଉଲ୍ଲେଖ । ତେବେ ଏଥିରେ କିଛି ଏମିତି ଲେଖା ଯାଇଛି ଯାହା ମାନିବା ନିହାତି ଜରୁରୀ । ନହେଲେ ତାହା ହୋଇପାରେ ମୃତ୍ୟୁର କାରଣ ।
ଆମେ ସମସ୍ତେ ଜାଣୁ ଯେ ବନ୍ଧୁ ବିନା ଜୀବନ ଏକ ପ୍ରକାର ଫିକା । କିନ୍ତୁ ବେଳେବଳେ ଏହି ବନ୍ଧୁ ସାଜନ୍ତି ବୈରି । ଗରୁଡ଼ ପୁରାଣ ଅନୁସାରେ ଜୀବନରେ ସର୍ବଦା ଜଣେ ଭଲ ବନ୍ଧୁ ଆବଶ୍ୟକ । କିନ୍ତୁ ଖରାପ ବନ୍ଧୁ ଉପରେ ଭଲ କଥା କହେ । କିନ୍ତୁ ପଛରୁ ଛୁରୀ ମାରେ । ଏମିତି ବନ୍ଧୁଙ୍କ ଠାରୁ ଦୂରେଇ ରହିବା ଭଲ । ନହେଲେ ସିଏ ଆପଣଙ୍କ ମୃତ୍ୟୁର କାରଣ ହୋଇପାରେ । ପୁରାଣରେ ମଧ୍ୟ ଏନେଇ ଅନେକ ଉଦାହରଣ ରହିଛି ।
ସେହିପରି ଆଜିକା ଦିନରେ ଜୀବନ ସାଥି ବାଛିବା ସବୁଠୁ କଷ୍ଟକର । କାରଣ ତାଙ୍କ ସହ ରହିବାକୁ ହୁଏ ସବୁଦିନ । ସଫଳତା ପଛରେ ସେମାନଙ୍କର ଭୂମିକା ଅନନ୍ୟ । କିନ୍ତୁ ଖରାପ ସ୍ୱଭାବର ଜୀବନ ସାଥି ହୋଇପାରେ ଘାତକ । ଅନେକ ଦୁଃଖ ଆଉ ଦୁର୍ଦ୍ଦଶାର କାରଣ ବନିପାରେ ଏମିତି ଜୀବନସାଥି ।
ଗରୁଡ଼ ପୁରାଣ ଅନୁସାରେ ଯୁକ୍ତି କରୁଥିବା ସେବକଠୁ ରୁହନ୍ତୁ ଦୂରରେ । ଝଗଡ଼ା କରୁଥିବା ଚାକର ହୋଇପାରେ ଅଶୁଭକର । ସୁଯୋଗ ପାଇଲେ ସେ କରିପାରେ ବଡ଼ କ୍ଷତି । ଯଦି ଆପଣଙ୍କର କେହି ଭୃତ୍ୟ ସର୍ବଦା ଯୁକ୍ତି କରୁଛି ତାହେଲେ ତାକୁ ତୁରନ୍ତ ବାହାର କରି ଦିଅନ୍ତୁ । ଅନ୍ୟଥା ସେମାନେ ବିଛାଇପାରନ୍ତି ମୃତ୍ୟୁର ଜାଲ । ଆହୁରି ମଧ୍ୟ ଘର ଚାରିପାଖେ କେବେବି ସାପ ରହିବାକୁ ଦିଅନ୍ତୁନି । ଗରୁଡ଼ ପୁରାଣ ଏଥିପାଇଁ କରିଛି ସତର୍କ । ସର୍ପ ବାସ କଲେ ହୋଇଥାଏ ସାଂଘାତିକ କ୍ଷତି । ଘରେ ସାପ ପଶି ମଧ୍ୟ ଘଟାଇପାରେ ଅନିଷ୍ଟ । ଆଉ ସାପ ଦଂଶିଲେ ଜୀବନ ଯିବାର ସମ୍ଭବନା ରହିଥାଏ ।

