ବିଜୟୱାଡା: ଇଲେକ୍ଟ୍ରିକ୍ ଯାନରେ ନିଆଁ ଲାଗିବା ଘଟଣାକୁ ନେଇ ଚିନ୍ତା ବଢ଼ୁଥିବାବେଳେ ଆନ୍ଧ୍ରପ୍ରଦେଶରୁ ଆସିଛି ଆଉ ଏକ ଦୁଃଖଦ ଖବର। ଏକ ଇଲେକ୍ଟ୍ରିକ୍ କାର୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ସେଥିରେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଯାଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଏନଟିଆର୍ ଜିଲ୍ଲା ଅନ୍ତର୍ଗତ ବିଜୟୱାଡା ପଶ୍ଚିମ ବାଇପାସ୍ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ଡିଭାଇଡରରେ ପିଟି ହେବା ପରେ ଜଳିଗଲା କାର୍
ସୂଚନା ଅନୁଯାୟୀ, ଏକ ଇଲେକ୍ଟ୍ରିକ୍ କାର୍ ଭାରସାମ୍ୟ ହରାଇ ରାସ୍ତାର ଡିଭାଇଡରରେ ପିଟି ହୋଇଯାଇଥିଲା। ଏହାପରେ କାର୍ରେ ବିସ୍ଫୋରଣ ହେବା ସହ ଭୟଙ୍କର ନିଆଁ ଲାଗିଯାଇଥିବା ଖବର ମିଳିଛି। ନିଆଁରେ କାର୍ଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି।
ଏହି ଦୁର୍ଘଟଣାରେ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ନିଆଯାଇଥିବା ସୂଚନା ମିଳିଛି।
ପାରିବାରିକ କାର୍ଯ୍ୟକ୍ରମରୁ ଫେରୁଥିଲେ
ପ୍ରାଥମିକ ସୂଚନା ଅନୁସାରେ, ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିମାନେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଫେରୁଥିଲେ। ମୃତକଙ୍କ ମଧ୍ୟରେ ଏନଟିଆର୍ ଜିଲ୍ଲାର ୩୯ ବର୍ଷୀୟ କୋମ୍ମାରେଡ୍ଡୀ ରାମଦେବ, ତାଙ୍କ ମା’ ଅରୁଣା, ନାମ୍ବୁରୁର ତିଗୁରୁ ବିଜୟା ଏବଂ ଜଣେ ଶିଶୁ ଥିବା ଜଣାପଡ଼ିଛି।
ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦୁର୍ଘଟଣାର କିଛି ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି।
ଆସାମରେ ମଧ୍ୟ ଘଟିଥିଲା ଏଭଳି ଦୁର୍ଘଟଣା
ଇଲେକ୍ଟ୍ରିକ୍ କାର୍ରେ ନିଆଁ ଲାଗିବା ଘଟଣାକୁ ନେଇ ଏହି ଦୁର୍ଘଟଣା ପୁଣି ଥରେ ଚିନ୍ତା ବଢ଼ାଇଛି। ଗତ ମାସରେ ଆସାମର ନାଗାଁଓ ଜିଲ୍ଲା ଅନ୍ତର୍ଗତ ପୁରାନୀ ଗୁଦାମର କେନାପଟି ଅଞ୍ଚଳରେ ମଧ୍ୟ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ଲାଗିଯାଇଥିଲା।
ସେଠାରେ ଏକ କାର୍ ରାସ୍ତାକଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ପିଟି ହେବା ପରେ ନିଆଁ ଲାଗିଥିଲା। ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିଲେ।
ବାରମ୍ବାର ଏଭଳି ଦୁର୍ଘଟଣା ସାମ୍ନାକୁ ଆସୁଥିବାରୁ ଇଲେକ୍ଟ୍ରିକ୍ ଯାନର ସୁରକ୍ଷା ଏବଂ ଦୁର୍ଘଟଣା ପରେ ଅଗ୍ନିକାଣ୍ଡର କାରଣକୁ ନେଇ ପ୍ରଶ୍ନ ଉଠୁଛି। ତେବେ ବିଜୟୱାଡା ଘଟଣାରେ ନିଆଁ ଲାଗିବାର ପ୍ରକୃତ କାରଣ ସମ୍ପର୍କରେ ଅଧିକାରିକ ତଦନ୍ତର ତଥ୍ୟକୁ ଅପେକ୍ଷା କରାଯାଇଛି।

