ଆସୁଛି ଭୟଙ୍କର ବାତ୍ୟା ମୁରାସୁ : ଓଡ଼ିଶାକୁ ବେଶୀ ବିପଦ

ଭୁବନେଶ୍ୱର, ୧/୧୧: ପୁଣି ଓଡ଼ିଶା ଉପରେ ବାତ୍ୟା ବିପଦ! ଗୋଟିଏ ବାତ୍ୟାର ତାଣ୍ଡବରୁ ରାଜ୍ୟ ଏବେ ବି ସମ୍ପୂର୍ଣ୍ଣ ମୁକୁଳି ପାରିନାହିଁ। କେଉଁଠି ବନ୍ୟାଜଳ ଛାଡ଼ିନି ତ ଆଉ କେଉଁଠି ଭୂସ୍ଖଳନ ପରେ ମାଟି ତଳୁ ଜୀବନ ଖୋଜା ଚାଲିଛି। ଲୋକେ ନିଜର ଭଙ୍ଗା ଘର ଓ ଉଜୁଡ଼ା ଜୀବିକାକୁ ପୁଣି ଥରେ ସଜାଡ଼ିବାକୁ ଲାଗିପଡ଼ିଛନ୍ତି। ଏଭଳି ସମୟରେ ବଙ୍ଗୋପସାଗରରେ ଆଉ ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତା ବଢ଼ିଛି।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଏହି ସାମୁଦ୍ରିକ ଝଡ଼ ଭୀଷଣ ବାତ୍ୟାର ରୂପ ନେଇପାରେ। ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ତେବେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ନଭେମ୍ବର ୨ରୁ ୪ ତାରିଖ ଯାଏଁ ବର୍ଷା ହୋଇପାରେ। ବିଶେଷକରି ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି।

ପାଣିପାଗ ବିଭାଗର ସୂଚନା ମୁତାବକ, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହାର ନିକଟବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହା ଶନିବାର ବିଳମ୍ବିତ ରାତି ସୁଦ୍ଧା ଗଭୀର ଅବପାତର ରୂପ ନେଇପାରେ। ପରେ ରବିବାର ଏହା ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି।

ଆକଳନ ଅନୁସାରେ, ନଭେମ୍ବର ୨ ତାରିଖରେ ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଇପାରେ। ନଭେମ୍ବର ୩ ତାରିଖ ଭୋର୍‌ ସମୟରେ ଦକ୍ଷିଣ ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚିବା ସହ ସେହିଦିନ ସକାଳେ ସ୍ଥଳଭାଗ ଛୁଇଁବାର ଆଶଙ୍କା ରହିଛି। ନେଲ୍ଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହା ସ୍ଥଳଭାଗ ଅତିକ୍ରମ କରିପାରେ। ସେହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୨୦ କିଲୋମିଟର ଛୁଇଁପାରେ।

ସ୍ଥଳଭାଗ ଛୁଇଁବା ପରେ ବାତ୍ୟାଟି ଆନ୍ଧ୍ରପ୍ରଦେଶ ଦେଇ ଉତ୍ତର ଦିଗକୁ ଗତି କରିପାରେ। ଓଡ଼ିଶା ଉପକୂଳରେ ସିଧାସଳଖ ମାଡ଼ ହେବାର ସମ୍ଭାବନା ନଥିଲେ ମଧ୍ୟ ଏହାର ବାହ୍ୟ ପ୍ରଭାବ ଦକ୍ଷିଣ ଓଡ଼ିଶାରେ ଅନୁଭୂତ ହୋଇପାରେ। ଏଥିପାଇଁ ତଳିଆ ଅଞ୍ଚଳ ଓ ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ବର୍ଷାକୁ ନେଇ ଚିନ୍ତା ବଢ଼ିଛି।

ଏହି ସମ୍ଭାବ୍ୟ ବାତ୍ୟାର ନାମ ‘ମୁରାସୁ’ ରଖାଯିବ। ଭାରତ ପକ୍ଷରୁ ପ୍ରସ୍ତାବିତ ନାମ ତାଲିକାରୁ ଏହାକୁ ଚୟନ କରାଯାଇଛି। ‘ମୁରାସୁ’ ଏକ ତାମିଲ ଶବ୍ଦ। ପ୍ରାଚୀନ କାଳରେ ରାଜାମାନେ ରାଜ୍ୟବାସୀଙ୍କୁ ବିଭିନ୍ନ ଘୋଷଣା ଶୁଣାଇବା ପାଇଁ ଯେଉଁ ବାଦ୍ୟଯନ୍ତ୍ର ବ୍ୟବହାର କରୁଥିଲେ, ତାହାକୁ ମୁରାସୁ କୁହାଯାଉଥିଲା।

ଏବେ ସମସ୍ତଙ୍କ ନଜର ବାତ୍ୟାର ଗତିପଥ ଓ ପାଣିପାଗ ବିଭାଗର ପରବର୍ତ୍ତୀ ଆକଳନ ଉପରେ ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ