ନୂଆଦିଲ୍ଲୀ : ଜିମ୍ବାୱେରେ ଘଟିଛି ଏକ ବଡ଼ ନୌକା ଦୁର୍ଘଟଣା। ପ୍ରସିଦ୍ଧ କାରିବା ହ୍ରଦରେ ପ୍ରାୟ ୯୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ହଠାତ୍ ଓଲଟି ବୁଡ଼ିଯାଇଛି। ଏହି ଘଟଣାରେ ମହିଳା ଓ ଶିଶୁଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଯାତ୍ରୀ ଏବେ ବି ନିଖୋଜ ଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଡଙ୍ଗାରେ ପ୍ରାୟ ୯୦ ଜଣ ଯାତ୍ରୀଙ୍କ ସହ ୫ ଜଣ କ୍ରୁ ସଦସ୍ୟ ଥିଲେ। ଖରାପ ପାଗ ଓ ହ୍ରଦରେ ପ୍ରବଳ ଲହଡ଼ି ସତ୍ତ୍ୱେ ଡଙ୍ଗାଟି କାରିବା ସହରରୁ ଦ୍ୱୀପପୁଞ୍ଜ ଦିଗରେ ଯାତ୍ରା କରିଥିଲା। ହ୍ରଦର ମଝିରେ ପହଞ୍ଚିବା ପରେ ପରିସ୍ଥିତି ହଠାତ୍ ଗମ୍ଭୀର ହୋଇପଡ଼ିଥିଲା। ପ୍ରବଳ ପବନ ଓ ଲହଡ଼ି ମଧ୍ୟରେ ଡଙ୍ଗାର ଇଞ୍ଜିନ୍ ଅଚଳ ହୋଇଯିବାରୁ ଏହା ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିବା କୁହାଯାଉଛି।
ଘଟଣାର ଖବର ପାଇବା ପରେ ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଥିଲା। ହେଲିକପ୍ଟର ସହ ସେନାର ବଡ଼ ଡଙ୍ଗା ଓ ତାଲିମପ୍ରାପ୍ତ ବୁଡ଼ାଳି ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା। ଉଦ୍ଧାରକାରୀ ଦଳ ପ୍ରାୟ ୬୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବାବେଳେ ନିଖୋଜ ଲୋକଙ୍କ ସନ୍ଧାନ ଏବେ ବି ଜାରି ରହିଛି।
ପ୍ରବଳ ଲହଡ଼ି ଓ ପ୍ରତିକୂଳ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ଚ୍ୟାଲେଞ୍ଜିଂ ହୋଇଥିବା ଜଣାପଡ଼ିଛି। ମୃତଦେହଗୁଡ଼ିକୁ ପରିଚୟ ନିର୍ଣ୍ଣୟ ପାଇଁ କାରିବା ଶବଗୃହକୁ ପଠାଯାଇଛି।
ଏହି ଦୁର୍ଘଟଣା ପରେ ଖରାପ ପାଗ ସମୟରେ ଡଙ୍ଗା ଚଳାଚଳ, ଯାତ୍ରୀ ସୁରକ୍ଷା ଓ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଏପଟେ ଦୁର୍ଘଟଣା ସମୟର କିଛି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହ୍ରଦରେ ଭାସୁଥିବା ସାମଗ୍ରୀ ଓ ଉଦ୍ଧାର ଅଭିଯାନର ଦୃଶ୍ୟ ଘଟଣାର ଭୟାବହତାକୁ ସ୍ପଷ୍ଟ କରୁଛି।

