ରାମ ମନ୍ଦିରର ପ୍ରଥମ ସିଇଓ ହେଲେ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରା, ୫୫୮୫ ଆବେଦନ ମଧ୍ୟରୁ ଚୟନ
ନୂଆଦିଲ୍ଲୀ: ରାମ ମନ୍ଦିର ପରିଚାଳନାରେ ଯୋଡ଼ି ହୋଇଛି ନୂଆ ଅଧ୍ୟାୟ। ମନ୍ଦିର ଟ୍ରଷ୍ଟ ପ୍ରଥମ ଥର ପାଇଁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା ସିଇଓ ନିଯୁକ୍ତ କରିଛି। ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରାଙ୍କୁ ଏହି ଦାୟିତ୍ୱ ଦେବାକୁ ବୁଧବାର ଅନୁଷ୍ଠିତ ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି।
ମନ୍ଦିରର ପ୍ରଶାସନିକ ବ୍ୟବସ୍ଥା ସହ ସୁରକ୍ଷା, ଆର୍ଥିକ ପରିଚାଳନା ଏବଂ ଦୈନିକ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥାରେ ସିଇଓ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବେ। ୩୯ ବର୍ଷ ଧରି ଭାରତୀୟ ବାୟୁସେନାରେ ସେବା ଦେବା ପରେ ଜିତେନ୍ଦ୍ର ମିଶ୍ରା ଚଳିତ ବର୍ଷ ଏପ୍ରିଲ ୩୦ରେ ଅବସର ନେଇଥିଲେ।
ବାୟୁସେନାର ପଶ୍ଚିମ କମାଣ୍ଡର ମୁଖ୍ୟ ଭାବେ କାର୍ଯ୍ୟ କରିଥିବା ମିଶ୍ରାଙ୍କର ପ୍ରାୟ ୩ ହଜାର ଘଣ୍ଟାର ଉଡ଼ାଣ ଅଭିଜ୍ଞତା ରହିଛି। ‘ଅପରେସନ୍ ସିନ୍ଦୂର’ ସମେତ ଟାଇଗର ହିଲ୍ ଓ ‘ସଫେଦ ସାଗର’ ଅଭିଯାନରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ସେବା କ୍ଷେତ୍ରରେ ଅବଦାନ ପାଇଁ ୨୦୨୫ରେ ତାଙ୍କୁ ସର୍ବୋତ୍ତମ ଯୁଦ୍ଧ ସେବା ପଦକ ପ୍ରଦାନ କରାଯାଇଥିଲା। ଏହାଛଡ଼ା ୨୦୨୪ରେ ଅତି ବିଶିଷ୍ଟ ସେବା ପଦକ ଓ ୨୦୧୩ରେ ବିଶିଷ୍ଟ ସେବା ପଦକରେ ସେ ସମ୍ମାନିତ ହୋଇଥିଲେ।
୫୫୮୫ ଆବେଦନରୁ ଚୟନ
ରାମ ମନ୍ଦିର ସିଇଓ ପଦ ପାଇଁ ମୋଟ ୫୫୮୫ଟି ଆବେଦନ ମିଳିଥିଲା। ଦିଲ୍ଲୀ-ଏନସିଆର, ପୁଣେ ଓ ସମ୍ବଲପୁରର ବିଶେଷଜ୍ଞମାନେ ଏହି ଆବେଦନଗୁଡ଼ିକୁ ବିଭିନ୍ନ ପର୍ଯ୍ୟାୟରେ ଯାଞ୍ଚ କରିଥିଲେ। ଯୋଗ୍ୟତା ଓ ଅଭିଜ୍ଞତା ଆଧାରରେ ପ୍ରାର୍ଥୀଙ୍କୁ ଧୀରେ ଧୀରେ ସଂକ୍ଷିପ୍ତ ତାଲିକାକୁ ଅଣାଯାଇଥିଲା।
୬୦୦ ପଏଣ୍ଟର ମୂଲ୍ୟାଙ୍କନ ପ୍ରକ୍ରିୟାରେ ୩୫୭୦ ଜଣ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ। ଏଥିରୁ ୬୦ ପ୍ରତିଶତରୁ ଅଧିକ ନମ୍ବର ପାଇଥିବା ପ୍ରାର୍ଥୀଙ୍କୁ ପରବର୍ତ୍ତୀ ପର୍ଯ୍ୟାୟକୁ ନିଆଯାଇଥିଲା। ପରେ ୧୦୮ ଜଣଙ୍କୁ ଏ, ବି ଓ ସି ଶ୍ରେଣୀରେ ବିଭକ୍ତ କରାଯାଇଥିଲା।
ଅଗଷ୍ଟ ୩ରୁ ୬ ମଧ୍ୟରେ ଅନଲାଇନ୍ ସାକ୍ଷାତକାର ହୋଇଥିଲା। ଏଥିରୁ ୧୭ ଜଣଙ୍କୁ ଅଯୋଧ୍ୟାରେ ବ୍ୟକ୍ତିଗତ ସାକ୍ଷାତକାର ପାଇଁ ଡକାଯାଇଥିଲା। ଅଗଷ୍ଟ ୧୧ ଓ ୧୨ରେ ହୋଇଥିବା ଏହି ପର୍ଯ୍ୟାୟରେ ୧୬ ଜଣ ପ୍ରାର୍ଥୀ ଯୋଗ ଦେଇଥିଲେ। ଶେଷରେ ଜିତେନ୍ଦ୍ର ମିଶ୍ରାଙ୍କ ନାମରେ ମୋହର ଲାଗିଛି।

