ଭୁବନେଶ୍ୱର, ୧୫/୦୮ : ରାଜ୍ୟର ୬ଟି ଜିଲ୍ଲାର ୫୨ଟି ବ୍ଲକ, ୧୭୦ଟି ପଞ୍ଚାୟତ ଓ ୪୨୯ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ମୋଟ ୨ ଲକ୍ଷ ୯ ହଜାର ୬୮୭ ଜଣ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୪୨ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ନୂଆ ବନ୍ୟାରେ ଏପର୍ଯ୍ୟନ୍ତ ୪୨୫ଟି ଘର କ୍ଷତିଗ୍ରସ୍ତ ହୋଇଥିବା ସରକାରୀ ଭାବେ ଚିହ୍ନଟ ହୋଇଛି। ଏବେ ବି ୩୩ଟି ଗାଁ ପାଣି ଘେରରେ ରହିଛି।ରାଜ୍ୟରେ ବର୍ଷାର ପ୍ରକୋପ ଧୀରେ ଧୀରେ କମିବାରେ ଲାଗିଛି।
ଶନିବାରଠାରୁ ଏହା ଆହୁରି ହ୍ରାସ ପାଇବା ସମ୍ଭାବନା ରହିଛି। ଫଳରେ ସ୍ୱାଧୀନତା ଦିବସ ପାଳନରେ ବର୍ଷା ବିଶେଷ ବାଧା ସୃଷ୍ଟି ନକରିପାରେ। ଯେଉଁଠି ବର୍ଷା ହେବ, ସେଠାରେ ଘଡ଼ଘଡ଼ି ସହ ଅସରାଏ ଅସରାଏ ବର୍ଷା ହେବାର ସମ୍ଭାବନା ଅଧିକ। ଲଗାଣ ବର୍ଷାର ଆଶଙ୍କା କମ୍ ରହିଛି।ତେବେ ଆସନ୍ତା ୨୦ ତାରିଖ ବେଳକୁ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନେଇ ପାଣିପାଗ ବିଭାଗ ଓ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏହାର ପ୍ରଭାବରେ ୧୯ ତାରିଖରୁ ପ୍ରାୟ ୩ରୁ ୪ ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିପାରେ। ଉତ୍ତର, ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ଲଗାଣ ବର୍ଷା ସହ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏହି ଆକଳନ ସତ ହେଲେ ଉତ୍ତର ଓଡ଼ିଶା ପୁଣିଥରେ ବନ୍ୟା ସମସ୍ୟାର ସମ୍ମୁଖୀନ ହୋଇପାରେ। ତଳମୁଣ୍ଡ ଓ ଉପରମୁଣ୍ଡରେ ଲଗାଣ ବର୍ଷା ହେଲେ ମହାନଦୀର ଜଳସ୍ତର ମଧ୍ୟ ବଢ଼ିବାର ଆଶଙ୍କା ରହିଛି।ବର୍ତ୍ତମାନ ଝାଡ଼ଖଣ୍ଡ ଉପରେ ରହିଥିବା ଲଘୁଚାପ ଧୀରେ ଧୀରେ ଦୁର୍ବଳ ହେଉଛି।
ଶନିବାର ସକାଳ ପର୍ଯ୍ୟନ୍ତ କେତେକ ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ। ଏହାସହ ଶନିବାର ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ଜାରି ରହିବ। ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୬ ତାରିଖରୁ ବର୍ଷାର ପରିମାଣ ଆହୁରି କମି ଛିଟିଛାଟି ବର୍ଷାରେ ସୀମିତ ରହିପାରେ।ବର୍ଷା କମିବା ପରେ ଶୁକ୍ରବାର ବନ୍ୟା ପରିସ୍ଥିତିରେ କିଛିଟା ସୁଧାର ଦେଖାଦେଇଛି। ସୁବର୍ଣ୍ଣରେଖାକୁ ଛାଡ଼ି ଅନ୍ୟାନ୍ୟ ପ୍ରମୁଖ ନଦୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଛି। ତେବେ ଭଦ୍ରକରେ ପୁଣି ବନ୍ୟା ସ୍ଥିତି ଚିନ୍ତା ବଢ଼ାଇଛି। ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟାଜଳ ବଢ଼ିବାରୁ ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି ଓ ଚାନ୍ଦବାଲି ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଦେଖାଦେଇଛି। ସାଳନ୍ଦୀ ନଦୀର ପାଣି ଭଦ୍ରକ ଅର୍ଣ୍ଣପାଳ ପୋଲ ଉପରେ ପ୍ରବାହିତ ହେଉଛି। ତିହିଡ଼ି ବ୍ଲକରେ ମଧ୍ୟ ସ୍ଥିତି ଅଧିକ ଖରାପ ହେବାର ଆଶଙ୍କା ରହିଛି। ଶନିବାର ଜିଲ୍ଲାର ତଳିଆ ଅଞ୍ଚଳଗୁଡ଼ିକ ଅଧିକ ଜଳମଗ୍ନ ହୋଇପାରେ।ବୈତରଣୀ ଓ ଶାଖା କାଣୀ ନଦୀରେ ଚଳିତ ବର୍ଷ ଚତୁର୍ଥ ଥର ପାଇଁ ବନ୍ୟା ଦେଖାଦେଇଛି। ଏହାର ପ୍ରଭାବରେ ଯାଜପୁର ଜିଲ୍ଲାର କୋରେଇ, ଯାଜପୁର ଓ ଦଶରଥପୁର ବ୍ଲକର ୨୦ରୁ ଅଧିକ ପଞ୍ଚାୟତ ପ୍ରଭାବିତ ହୋଇଛି। ଦଶରଥପୁର ବ୍ଲକର ତରପଦା ପଞ୍ଚାୟତ ଅନ୍ତର୍ଗତ ପଟଣାସାହି ନିକଟରେ କାଣୀ ନଦୀର ଅବବାହିକାରେ ପୂର୍ବରୁ ମରାମତି ହୋଇଥିବା ଘାଇ ଦେଇ ପୁଣି ବନ୍ୟାଜଳ ପ୍ରବେଶ କରିଛି। ଫଳରେ ଦଶରଥପୁର ବ୍ଲକର ୧୫ଟି ପଞ୍ଚାୟତ ଜଳମଗ୍ନ ହୋଇଛି।ଅନ୍ୟପଟେ ବର୍ଷାର ପ୍ରକୋପ କମିବାରୁ ବଡ଼ ଧରଣର ବନ୍ୟା ବିପଦରୁ ମୟୂରଭଞ୍ଜବାସୀ କିଛିଟା ଆଶ୍ୱସ୍ତ ହୋଇଛନ୍ତି। ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବିପଦ ସଙ୍କେତ ତଳକୁ ଖସିଛି।
ଜଳ ସମ୍ପଦ ବିଭାଗର ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟା ୮ଟାରେ ଆଖୁଆପଦାଠାରେ ବୈତରଣୀର ଜଳସ୍ତର ୧୯.୭ ମିଟର ରହିଥିଲା, ଯାହା ବିପଦ ସଙ୍କେତ ୧୮.୩୩ ମିଟରଠାରୁ ପ୍ରାୟ ଦେଢ଼ ମିଟର ଅଧିକ। ତେବେ ଜଳସ୍ତର ଧୀରେ ଧୀରେ କମୁଥିବାରୁ ଏହା ଆଶ୍ୱସ୍ତିର ବିଷୟ ପାଲଟିଛି।ଆନନ୍ଦପୁରରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ଟପି ସନ୍ଧ୍ୟା ସମୟରେ ୩୮.୫୫ ମିଟରରେ ପହଞ୍ଚିଥିଲା, କିନ୍ତୁ ଏଠାରେ ମଧ୍ୟ ପାଣି କମିବାରେ ଲାଗିଛି। ସାଳନ୍ଦୀର ଜଳସ୍ତର ବିପଦ ସଙ୍କେତ ନିକଟରେ ରହିଛି। ଭଦ୍ରକର ରାଜଘାଟଠାରେ ବିପଦ ସଙ୍କେତ ୧୭ ଫୁଟ ଥିବା ବେଳେ ସନ୍ଧ୍ୟାରେ ଜଳସ୍ତର ୧୬.୭୬ ଫୁଟ ଛୁଇଁଥିଲା। ତେବେ ଏଠାରେ ମଧ୍ୟ ଜଳସ୍ତର ହ୍ରାସ ପାଉଛି।ସୁବର୍ଣ୍ଣରେଖା ନଦୀ ରାଜଘାଟଠାରେ ଶୁକ୍ରବାର ରାତି ୮ଟା ସମୟରେ ୭.୭୬ ମିଟର ଉଚ୍ଚତାରେ ପ୍ରବାହିତ ହେଉଥିଲା ଏବଂ ଜଳସ୍ତର ପ୍ରାୟ ସ୍ଥିର ରହିଥିଲା। ଜଳକା ନଦୀର ଜଳସ୍ତର କମୁଥିଲେ ମଧ୍ୟ ଏହା ଏବେ ବି ବିପଦ ସଙ୍କେତ ଉପରେ ରହିଛି। ମଥାନୀଠାରେ ସନ୍ଧ୍ୟା ସମୟରେ ଜଳସ୍ତର ୭.୨ ମିଟର ଥିଲା। ବ୍ରାହ୍ମଣୀ ନଦୀର ଜଳସ୍ତର ପାନପୋଷଠାରେ ସ୍ଥିର ଥିବାବେଳେ ଜେନାପୁରଠାରେ ଏହା ବଢ଼ୁଥିବା ସୂଚନା ମିଳିଛି।

