ନୂଆଦିଲ୍ଲୀ, ୨୫।୧୧: ବାଂଲାଦେଶକୁ ନେଇ ପୁଣି ତେଜିଲା ରାଜନୈତିକ ବିବାଦ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଚର୍ଚ୍ଚା ମଧ୍ୟରେ ପଶ୍ଚିମବଙ୍ଗର ନେତା ଅର୍ଜୁନ ସିଂହଙ୍କ ଏକ ବୟାନ ନୂଆ ବିତର୍କ ସୃଷ୍ଟି କରିଛି। ଡିସେମ୍ବର ୧୬ ତାରିଖ ସୁଦ୍ଧା ଭାରତ ବାଂଲାଦେଶକୁ ଦଖଲ କରିନେବ ବୋଲି ସେ ଦାବି କରିଛନ୍ତି। ଏଥିସହ ବାଂଲାଦେଶରେ ହିନ୍ଦୁମାନଙ୍କ ହତ୍ୟା ଘଟଣାର ପ୍ରତିଶୋଧ ନିଆଯିବ ବୋଲି ମଧ୍ୟ କହିଛନ୍ତି।
ମଙ୍ଗଳବାର ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଅର୍ଜୁନ ସିଂହ କହିଥିଲେ ଯେ, ବାଂଲାଦେଶ ପ୍ରସଙ୍ଗରେ ଆଉ ଚୁପ୍ ରହିବାର ସମୟ ନାହିଁ। ସେଠାରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ହିଂସାର ଜବାବ ଦିଆଯିବ। ଡିସେମ୍ବର ୧୬ ସୁଦ୍ଧା ବାଂଲାଦେଶକୁ ଭାରତ ଦଖଲ କରିବ ବୋଲି ସେ ମନ୍ତବ୍ୟ ଦେଇଛନ୍ତି। ତାଙ୍କର ଏହି ବୟାନ ଭାରତ-ବାଂଲାଦେଶ ସମ୍ପର୍କକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ କରିଛି।
ଅନ୍ୟପଟେ ଶେଖ୍ ହସିନାଙ୍କ ସ୍ୱଦେଶ ଫେରିବା ପ୍ରସଙ୍ଗ ମଧ୍ୟ ଚର୍ଚ୍ଚାରେ ରହିଛି। ହସିନାଙ୍କୁ ଫେରାଇ ଆଣିବା ପାଇଁ ଆୱାମୀ ଲିଗ୍ ପକ୍ଷରୁ ବାଂଲାଦେଶ ସରକାରଙ୍କୁ ବିମାନ ଯୋଗାଇବାକୁ ଦାବି କରାଯାଇଥିବା ଖବର ପ୍ରକାଶ ପାଇଛି। ତେବେ ଏହି ପ୍ରସଙ୍ଗରେ ବାଂଲାଦେଶ ସରକାର କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି।
ବାଂଲାଦେଶର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହୁମାୟୁନ କବୀର କହିଛନ୍ତି ଯେ, ଶେଖ୍ ହସିନାଙ୍କୁ ସାଧାରଣ ନାଗରିକ ଭାବେ ନୁହେଁ, ବରଂ ପ୍ରତ୍ୟର୍ପଣ ପ୍ରକ୍ରିୟା ଅନୁସାରେ ବନ୍ଦୀ ଭାବେ ଫେରାଇ ଅଣାଯିବ। ତାଙ୍କୁ ହାତକଡ଼ି ପକାଇ କଡ଼ା ସୁରକ୍ଷା ମଧ୍ୟରେ ଦେଶକୁ ଆଣିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ଡିସେମ୍ବର ୧୬ ତାରିଖରେ ବାଂଲାଦେଶରେ ବିଜୟ ଦିବସ ପାଳନ କରାଯାଏ। ଏହି ଦିନ ଶେଖ୍ ହସିନା ସ୍ୱଦେଶ ଫେରିବାକୁ ଚାହୁଁଥିବା ନେଇ ପ୍ରକାଶିତ ଖବରକୁ ମଧ୍ୟ ହୁମାୟୁନ କବୀର ଖଣ୍ଡନ କରିଛନ୍ତି। ତାଙ୍କ କହିବା ଅନୁସାରେ, କେବଳ ଇଚ୍ଛା କଲେ ଯେ କେହି ଦେଶକୁ ଫେରିପାରିବେ ନାହିଁ। ଏଥିପାଇଁ ଆଇନଗତ ପ୍ରତ୍ୟର୍ପଣ ପ୍ରକ୍ରିୟା ପାଳନ କରିବାକୁ ହେବ।
ଏପଟେ ଅର୍ଜୁନ ସିଂହଙ୍କ ବାଂଲାଦେଶ ଦଖଲ ସମ୍ପର୍କିତ ବୟାନ ଏବଂ ସେପଟେ ଶେଖ୍ ହସିନାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ବାଂଲାଦେଶ ସରକାରଙ୍କ ଆଭିମୁଖ୍ୟ ଦୁଇ ଦେଶ ମଧ୍ୟରେ ଚାଲିଥିବା ରାଜନୈତିକ ଉତ୍ତେଜନାକୁ ପୁଣି ସାମ୍ନାକୁ ଆଣିଛି।

