ଭୁବନେଶ୍ୱର: କାର୍ତ୍ତିକ ମାସ ସରିବା ପରେ ଆସିଛି ଛାଡ଼ଖାଇ। ମାସେ ଧରି ଆମିଷଠାରୁ ଦୂରେଇ ରହିଥିବା ଲୋକଙ୍କ ମନ ଏବେ ମାଛ, ମାଂସ ଓ ଅନ୍ୟାନ୍ୟ ଆମିଷ ଖାଦ୍ୟ ଆଡ଼କୁ ଢଳିଛି। ଏଥିପାଇଁ ବିଭିନ୍ନ ଆମିଷ ବଜାରରେ ଦେଖିବାକୁ ମିଳିଛି ଗ୍ରାହକଙ୍କ ପ୍ରବଳ ଭିଡ଼। ଛାଡ଼ଖାଇରେ ଆମିଷର ଚାହିଦା ବଢ଼ିଥିବା ବେଳେ ଓଡ଼ିଶାବାସୀଙ୍କ ବାର୍ଷିକ ମାଛ ଓ ମାଂସ ଖାଇବାର ପରିମାଣକୁ ନେଇ ବିଧାନସଭାରେ ରୋଚକ ତଥ୍ୟ ସାମ୍ନାକୁ ଆସିଛି।
ବିଧାନସଭାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏ ସମ୍ପର୍କରେ ଲିଖିତ ଉତ୍ତର ରଖିଛନ୍ତି। ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ଓଡ଼ିଶାବାସୀ ବର୍ଷକୁ ପ୍ରାୟ ୯ ଲକ୍ଷ ୪୬ ହଜାର ମେଟ୍ରିକ ଟନ୍ ମାଛ ଖାଉଛନ୍ତି। ସେହିପରି ବାର୍ଷିକ ୧ ଲକ୍ଷ ୨୨ ହଜାର ୩୬୦ ମେଟ୍ରିକ ଟନ୍ ମଟନ୍ର ଚାହିଦା ରହିଛି।
କୁକୁଡ଼ା ମାଂସ ଉତ୍ପାଦନରେ ମଧ୍ୟ ରାଜ୍ୟର ସ୍ଥିତି ସ୍ପଷ୍ଟ ହୋଇଛି। ଓଡ଼ିଶାରେ ପ୍ରତିବର୍ଷ ୧ ଲକ୍ଷ ୬୪ ହଜାର ମେଟ୍ରିକ ଟନ୍ କୁକୁଡ଼ା ମାଂସ ଉତ୍ପାଦନ ହେଉଛି। ଏଥିସହ ବାର୍ଷିକ ୪୧ ହଜାର ୯୩ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବା ତଥ୍ୟରେ ଉଲ୍ଲେଖ ରହିଛି।
ସେହିପରି ରାଜ୍ୟରେ ଛେଳି ପାଳନକୁ ନେଇ ମଧ୍ୟ ତଥ୍ୟ ଦିଆଯାଇଛି। ଓଡ଼ିଶାରେ ପ୍ରାୟ ୬୩ ଲକ୍ଷ ୯୪ ହଜାର ଛେଳି ପାଳନ କରାଯାଉଛି। ଏଥିସହ ଅନ୍ୟ ରାଜ୍ୟରୁ ଛେଳି ଆମଦାନୀ କରାଯାଉନଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ଛାଡ଼ଖାଇରେ ଆମିଷ ବଜାରରେ ଭିଡ଼ ଜମୁଥିବା ବେଳେ ବିଧାନସଭାର ଏହି ତଥ୍ୟ ରାଜ୍ୟରେ ମାଛ, ମାଂସ ଓ ଅଣ୍ଡାର ଚାହିଦା ଏବଂ ଉତ୍ପାଦନର ଏକ ସ୍ପଷ୍ଟ ଚିତ୍ର ଦେଇଛି।

