ରମାଦେବୀ ବିଶ୍ୱବିଦ୍ୟାଳୟରେ ବିସିଜେଡିର ବାଜିମାତ୍, ଅଧିକାଂଶ ପଦରେ ବିଜୟ

ଭୁବନେଶ୍ୱର, ୧୬/୧୦: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପୁଣି ନିଜର ଦବଦବା ଜାହିର କରିଛି ବିଜୁ ଛାତ୍ର ଜନତା ଦଳ (ବିସିଜେଡି)। ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି ସମର୍ଥିତ ପ୍ରାର୍ଥୀମାନେ ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ସଭାପତିଙ୍କ ସମେତ ଅଧିକାଂଶ ପ୍ରମୁଖ ପଦରେ ଦଳ ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ଏହି ନିର୍ବାଚନରେ ବିସିଜେଡି ସମର୍ଥିତ ସୋନାଲି ବେହେରା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ସାଇ ଅର୍ପିତା ମହାପାତ୍ର ଉପସଭାପତି ପଦ ହାତେଇଛନ୍ତି। ଲକ୍ଷ୍ମୀପ୍ରିୟା ବିଶ୍ୱାଳ ସାଧାରଣ ସମ୍ପାଦକ, ସୁଦେଷ୍ଣା ଖୁଣ୍ଟିଆ ଯୁଗ୍ମ ସାଧାରଣ ସମ୍ପାଦକ, ଅଙ୍କିତା ମଲ୍ଲିକ କ୍ରୀଡ଼ା ସମ୍ପାଦକ, ରୂପାଲି ପାଣି ନାଟ୍ୟ ସମ୍ପାଦକ, ପ୍ରୀତିସ୍ମିତା ବାରିକ ସାଇନ୍ସ ସୋସାଇଟି ସମ୍ପାଦକ ଏବଂ ସମୀକ୍ଷା ସୁମନ ଡିଏସଏ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି।

ନିର୍ବାଚନକୁ ନେଇ ଦିନତମାମ ଉତ୍ତେଜନା

ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରରେ ଦିନତମାମ ଉତ୍ତେଜନା ଲାଗି ରହିଥିଲା। ସକାଳଠାରୁ ଆରମ୍ଭ ହୋଇଥିବା ଉତ୍ତେଜନା ବିଳମ୍ବିତ ରାତି ଯାଏଁ ଥମି ନଥିଲା। ଠେଲାପେଲା, ଗାଳିଗୁଲଜ ଓ ବୋମାମାଡ଼ ଭଳି ଘଟଣାକୁ ନେଇ କ୍ୟାମ୍ପସ ପରିସର ଅଶାନ୍ତ ହୋଇପଡ଼ିଥିଲା।

ଦିନ ପ୍ରାୟ ୨ଟାରେ ମତଦାନ ଶେଷ ହୋଇଥିଲେ ମଧ୍ୟ ଭୋଟ ଗଣତିକୁ ନେଇ ବିବାଦ ଦେଖାଦେଇଥିଲା। ଏହାକୁ ନେଇ ସନ୍ଧ୍ୟାରୁ ପୁଣି ଉତ୍ତେଜନା ବଢ଼ିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିର୍ବାଚନ ଫଳାଫଳ ଘୋଷଣା ହୋଇପାରି ନଥିଲା।

ଇପ୍ସିତା ସାହୁଙ୍କୁ ପୁଲିସ ଅଟକ

ବିଶ୍ୱବିଦ୍ୟାଳୟରେ ନିର୍ବାଚନକୁ ନେଇ ଚାଲିଥିବା ଉତ୍ତେଜନା ମଧ୍ୟରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ପୁଲିସ ଅଟକ ରଖିଥିଲା। ତାଙ୍କୁ ପୁଲିସ ଭ୍ୟାନ୍‌କୁ ନେବା ସମୟରେ ମଧ୍ୟ ପୁଲିସକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା।

ଅନ୍ୟପଟେ, କ୍ୟାମ୍ପସ ପରିସରରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସକୁ ବେଶ୍‌ କସରତ କରିବାକୁ ପଡ଼ିଥିଲା। ସ୍ଥିତି ଗମ୍ଭୀର ହେବାରୁ ଦଙ୍ଗା ନିୟନ୍ତ୍ରଣକାରୀ ଗାଡ଼ି ମଧ୍ୟ ପହଞ୍ଚିଥିଲା। ଦୀର୍ଘ ୮ ବର୍ଷ ପରେ ହୋଇଥିବା ଏହି ଛାତ୍ର ସଂସଦ ନିର୍ବାଚନରେ ବିଜୟ ସହ ବିସିଜେଡି ରମାଦେବୀ ବିଶ୍ୱବିଦ୍ୟାଳୟରେ ନିଜର ସ୍ଥିତିକୁ ପୁଣି ମଜବୁତ କରିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ