ମୁମ୍ବାଇ: ବଲିଉଡ୍ର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଜନ୍ମଦିନ ଅବସରରେ ତାଙ୍କ ଘର ବାହାରେ ଜମିଥିଲା ପ୍ରଶଂସକଙ୍କ ପ୍ରବଳ ଭିଡ଼। ପ୍ରିୟ ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଦୂରଦୂରାନ୍ତରୁ ଫ୍ୟାନ୍ସ ପହଞ୍ଚିଥିଲେ। ତେବେ ଏହି ଖୁସିର ମାହୋଲ ମଧ୍ୟରେ ଘଟିଥିବା ଏକ ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।
ଗତ ଅକ୍ଟୋବର ୧୧ ତାରିଖ ରବିବାର ଦିନ ଅମିତାଭଙ୍କ ଜନ୍ମଦିନ ଅବସରରେ ତାଙ୍କ ଘର ବାହାରେ ବହୁ ସଂଖ୍ୟାରେ ପ୍ରଶଂସକ ଏକାଠି ହୋଇଥିଲେ। ଏହି ସମୟରେ ଅମିତାଭ ନାଲି ରଙ୍ଗର କୁର୍ତ୍ତା ପିନ୍ଧି ଘର ବାହାରକୁ ଆସିଥିଲେ। ସେ ହାତ ଯୋଡ଼ି ପ୍ରଶଂସକଙ୍କୁ ଅଭିବାଦନ ଜଣାଇବା ସହ ହାତ ହଲାଇ ସେମାନଙ୍କ ଶୁଭେଚ୍ଛା ଗ୍ରହଣ କରିଥିଲେ।
ଅମିତାଭଙ୍କ ପାଖକୁ ଯିବାକୁ ପିଲାଙ୍କ ଉଦ୍ୟମ
ଏହି ସମୟରେ ଦୁଇଜଣ ଛୋଟ ପିଲା ସୁରକ୍ଷାକର୍ମୀଙ୍କୁ ଅତିକ୍ରମ କରି ଅମିତାଭଙ୍କ ନିକଟକୁ ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେଠାରେ ମୁତୟନ ଥିବା ସୁରକ୍ଷାକର୍ମୀମାନେ ତୁରନ୍ତ ସେମାନଙ୍କୁ ଅଟକାଇ ଅଭିନେତାଙ୍କଠାରୁ ଦୂରକୁ ନେଇଯାଇଥିଲେ। ଏହା ପରେ ମଧ୍ୟ ଅମିତାଭ ପ୍ରଶଂସକଙ୍କୁ ଅଭିବାଦନ ଜଣାଇବା ଜାରି ରଖିଥିଲେ।
ଏହି ସମୟରେ ଜଣେ ମହିଳା ପ୍ରଶଂସକ ଅମିତାଭଙ୍କ ସହ ହାତ ମିଳାଇବାକୁ ଅନୁରୋଧ କରିଥିଲେ। ତେବେ ଅଭିନେତା ଭଦ୍ର ଭାବରେ ତାଙ୍କ ଅନୁରୋଧକୁ ମନା କରିଦେଇଥିଲେ। ପରେ ପ୍ରଶଂସକଙ୍କ ପକ୍ଷରୁ ଆୟୋଜିତ ଏକ ବିଶାଳ ଫୁଲମାଳ ସାମ୍ନାରେ ଫଟୋ ଉଠାଇବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଘର ଭିତରକୁ ଫେରିଯାଇଥିଲେ।
ସୋସିଆଲ ମିଡିଆରେ ଦୁଇ ପ୍ରକାର ମତ
ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଇଣ୍ଟରନେଟ୍ରେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। କିଛି ୟୁଜରଙ୍କ ମତରେ, ପିଲାମାନେ ନିଜ ପ୍ରିୟ ଅଭିନେତାଙ୍କୁ ଭେଟିବା ଆଶା ନେଇ ଆସିଥିବାରୁ ଅମିତାଭ ସେମାନଙ୍କ ମଧ୍ୟରୁ ଜଣଙ୍କ ସହ ହାତ ମିଳାଇଥିଲେ ଭଲ ହୋଇଥାନ୍ତା।
ଅନ୍ୟପଟେ, ଅନେକ ଲୋକ ଅମିତାଭଙ୍କ ସମର୍ଥନରେ ମତ ଦେଇଛନ୍ତି। ସେମାନଙ୍କ କହିବା ଅନୁସାରେ, ଜଣେ ଲୋକପ୍ରିୟ କଳାକାରଙ୍କ ସୁରକ୍ଷା ପାଇଁ ନିୟୋଜିତ କର୍ମଚାରୀଙ୍କ ନିୟମକୁ ସମସ୍ତେ ସମ୍ମାନ ଦେବା ଆବଶ୍ୟକ। କୌଣସି ପରିସ୍ଥିତିରେ ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରିବା ଉଚିତ ନୁହେଁ।
କିଛି ୟୁଜର ଏହା ମଧ୍ୟ କହିଛନ୍ତି ଯେ ଜଣେ ଅଭିନେତା ଲକ୍ଷ ଲକ୍ଷ ଲୋକଙ୍କ ଭଲପାଇବା ପାଉଥିଲେ ମଧ୍ୟ ତାଙ୍କର ନିଜସ୍ୱ ଜୀବନ ଓ ବ୍ୟକ୍ତିଗତ ସୀମା ରହିଛି। ତେଣୁ ପ୍ରଶଂସକମାନେ ଭଲପାଇବା ସହିତ ସୁରକ୍ଷା ନିୟମକୁ ମଧ୍ୟ ସମ୍ମାନ ଦେବା ଉଚିତ।
ଏହି ଘଟଣା ପୁଣିଥରେ ଷ୍ଟାର୍ମାନଙ୍କ ପ୍ରତି ପ୍ରଶଂସକଙ୍କ ଭଲପାଇବା ଏବଂ ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା ମଧ୍ୟରେ ଥିବା ସନ୍ତୁଳନକୁ ନେଇ ଆଲୋଚନା ସୃଷ୍ଟି କରିଛି।

