ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୮ ତାରିଖ, ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦେଇଛି ଇଣ୍ଡି ମେଣ୍ଟ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବ। ଏନେଇ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ମେଣ୍ଟର ନେତାମାନେ ସୂଚନା ଦେଇଛନ୍ତି।
ବନ୍ଦ ସମୟରେ ରେଳ, ବସ୍ ସମେତ ସରକାରୀ ଓ ବେସରକାରୀ ଯାନବାହନ ଚଳାଚଳ ବନ୍ଦ ରଖିବାକୁ ଆହ୍ୱାନ ଦିଆଯାଇଛି। ତେବେ ହସ୍ପିଟାଲ, ଆମ୍ବୁଲାନ୍ସ, ମେଡିକାଲ ଷ୍ଟୋର ଭଳି ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯିବ। ଅଷ୍ଟମ ଓ ନବମ ଶ୍ରେଣୀର ପରୀକ୍ଷା ଚାଲିଥିବାରୁ ପରୀକ୍ଷାର୍ଥୀମାନେ ଯେପରି କୌଣସି ସମସ୍ୟାରେ ନପଡ଼ନ୍ତି, ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ ବୋଲି ମେଣ୍ଟ ପକ୍ଷରୁ କୁହାଯାଇଛି।
ଚାରିଟି ମୁଖ୍ୟ ଦାବିକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଥିବା ଇଣ୍ଡି ମେଣ୍ଟର ନେତାମାନେ କହିଛନ୍ତି। ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ବହିଷ୍କାର, ଏମ୍ଏମ୍ଡିଆର୍ (MMDR) ସଂଶୋଧିତ ଆଇନ ପ୍ରତ୍ୟାହାର, ବନ୍ୟା ପ୍ରଭାବିତଙ୍କୁ ପର୍ଯ୍ୟାପ୍ତ ସହାୟତା ଓ ପୁନର୍ବାସ ଏବଂ ପାଠ୍ୟପୁସ୍ତକ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଦୁର୍ନୀତି ପ୍ରସଙ୍ଗରେ ସମ୍ପୃକ୍ତ ମନ୍ତ୍ରୀଙ୍କ ଇସ୍ତଫା ଦାବି ରହିଛି।
ସିପିଆଇ ରାଜ୍ୟ ସମ୍ପାଦକ ପ୍ରଶାନ୍ତ ମିଶ୍ର କହିଛନ୍ତି ଯେ, ଏହି ବନ୍ଦ କେବଳ ଓଡ଼ିଶାର ସ୍ୱାର୍ଥ ସହ ଜଡ଼ିତ ନୁହେଁ, ବରଂ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ସହ ମଧ୍ୟ ଜଡ଼ିତ। ବନ୍ଦକୁ ସଫଳ କରିବା ପାଇଁ ସାଧାରଣ ଲୋକ, ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ଆଇନଜୀବୀ ଓ ବିଭିନ୍ନ ଗଣତାନ୍ତ୍ରିକ ଶକ୍ତିଙ୍କୁ ସେ ଆହ୍ୱାନ ଦେଇଛନ୍ତି।
ବିରୋଧୀ ମେଣ୍ଟ ପକ୍ଷରୁ ବନ୍ଦକୁ ସମ୍ପୂର୍ଣ୍ଣ ଅହିଂସା ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ ବୋଲି କୁହାଯାଇଛି।

