ଶରତରେ ପ୍ରବଳ ଖରା : ଆଗକୁ ବର୍ଷା ହେବ ନିଆଁ

ଭୁବନେଶ୍ୱର, ୦୬/୧୦: ଶରତ ଋତୁରେ ଶୀତୁଆ ପାଗର ଅନୁଭୂତି ହେବା କଥା। ହେଲେ ଏବେ ଓଡ଼ିଶାର ପାଗ ସମ୍ପୂର୍ଣ୍ଣ ଓଲଟା। ଅକ୍ଟୋବର ମାସରେ ଡହଡହ ଖରା ଓ ଅସହ୍ୟ ଗରମରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ଦିନରେ ତାତିରୁ ନିସ୍ତାର ନଥିବାବେଳେ ରାତିରେ ମଧ୍ୟ ତାପମାତ୍ରା ବିଶେଷ କମୁନାହିଁ।

ଉପକୂଳ ଓଡ଼ିଶାରେ ଏହି ଅସ୍ୱାଭାବିକ ଗରମର ପ୍ରଭାବ ଅଧିକ ଅନୁଭୂତ ହେଉଛି। ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ସେଲସିୟସ୍ ଅଧିକ ରହୁଛି। ଅଧିକାଂଶ ସ୍ଥାନରେ ପାରଦ ୩୫ରୁ ୩୬ ଡିଗ୍ରୀ ମଧ୍ୟରେ ରହୁଥିବାରୁ ଲୋକେ ଅକ୍ଟୋବରରେ ମଧ୍ୟ ଗ୍ରୀଷ୍ମର ତାତି ଅନୁଭବ କରୁଛନ୍ତି।

ସୋମବାର ପୁରୀରେ ସର୍ବୋଚ୍ଚ ତାପମାତ୍ରା ୩୬.୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ଏହା ସ୍ୱାଭାବିକଠାରୁ ୪.୧ ଡିଗ୍ରୀ ଅଧିକ। ସେହିପରି ପାରାଦୀପରେ ୩୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା, ଯାହା ସ୍ୱାଭାବିକଠାରୁ ୪.୩ ଡିଗ୍ରୀ ଅଧିକ। ଚାନ୍ଦବାଲିରେ ମଧ୍ୟ ପାରଦ ୩୫.୮ ଡିଗ୍ରୀ ଛୁଇଁଥିଲା। ରାଜ୍ୟର ପ୍ରାୟ ୧୨ଟି ସ୍ଥାନରେ ଦିନ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା।

ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଅକ୍ଟୋବର ତାତି ଏବେ ରେକର୍ଡ ସ୍ତରରେ ପହଞ୍ଚୁଛି। ୧୮୯୬ରୁ ୨୦୨୬ ମଧ୍ୟରେ ଅକ୍ଟୋବର ମାସର ଏହି ଦିନରେ ପୁରୀରେ ଦ୍ୱିତୀୟ ଥର ପାଇଁ ଏତେ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ୨୦୨୪ ଅକ୍ଟୋବର ୧ରେ ପୁରୀରେ ୩୬.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ଚଳିତ ବର୍ଷ ଏହା ଅଳ୍ପ ବ୍ୟବଧାନରେ ୩୬.୬ ଡିଗ୍ରୀ ରହିଛି।

ପାରାଦୀପରେ ମଧ୍ୟ ଅକ୍ଟୋବର ତାତି ଚିନ୍ତା ବଢ଼ାଇଛି। ୨୦୨୪ ଅକ୍ଟୋବର ୪ରେ ଏଠାରେ ୩୬.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା, ଯାହା ଅକ୍ଟୋବର ମାସରେ ପାରାଦୀପର ସର୍ବକାଳୀନ ସର୍ବୋଚ୍ଚ ତାପମାତ୍ରା ଭାବେ ରହିଛି।

ବିଶେଷଜ୍ଞଙ୍କ ମତରେ, ଏଲ୍-ନିନୋର ପ୍ରଭାବ ଯୋଗୁଁ ଏଭଳି ଅସ୍ୱାଭାବିକ ପାଗ ସୃଷ୍ଟି ହେଉଛି। ୨୦୨୩ରେ ମଧ୍ୟ ଏଲ୍-ନିନୋର ପ୍ରଭାବ ଦେଖାଯାଇଥିଲା ଏବଂ ୨୦୨୪ ମଧ୍ୟ ପ୍ରଚଣ୍ଡ ଉଷ୍ମ ବର୍ଷ ରହିଥିଲା। ବର୍ତ୍ତମାନ ଏଲ୍-ନିନୋର ପ୍ରଭାବ ଚରମ ସ୍ଥିତିରେ ଥିବାରୁ ଆଗାମୀ ଦିନରେ ପାଗ ଆହୁରି ଅସ୍ୱାଭାବିକ ହେବାର ଆଶଙ୍କା ରହିଛି।

ଅର୍ଥାତ୍, ଶରତରେ ଯେଉଁଠି ହାଲୁକା ଶୀତର ଅନୁଭୂତି ମିଳିବା କଥା, ସେଠାରେ ଏବେ ଗ୍ରୀଷ୍ମର ଜ୍ୱାଳା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଆଗକୁ ତାପମାତ୍ରା ଓ ପାଗରେ କି ପରିବର୍ତ୍ତନ ଆସୁଛି, ତା’ ଉପରେ ଏବେ ସମସ୍ତଙ୍କ ନଜର।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ