ଇସ୍ତଫା ଦେବେ ଜ୍ଞାନେଶ କୁମାର ! ଆଜି ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ, ୦୬/୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମଙ୍ଗଳବାର ଦିଲ୍ଲୀରେ ଏକାଠି ହେବେ ୧୯ଟି ବିରୋଧୀ ଦଳ। ନିର୍ବାଚନ କମିଶନଙ୍କ ମୁଖ୍ୟାଳୟ ଘେରାଉ କରିବା ସହ ‘ଇଣ୍ଡି’ ମେଣ୍ଟର ସାଂସଦମାନେ ‘ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରା’ କରିବେ।

ସଂସଦ ଭବନରୁ ନିର୍ବାଚନ କମିଶନଙ୍କ ମୁଖ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ପଦଯାତ୍ରା କରିବେ ବିରୋଧୀ ସାଂସଦ। ଏହାକୁ ନେଇ ଦିଲ୍ଲୀରେ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିବ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ଆନ୍ଦୋଳନ ପ୍ରସଙ୍ଗରେ ଦଳର ତିନିଟି ମୁଖ୍ୟ ଦାବି ସ୍ପଷ୍ଟ କରିଛନ୍ତି। ଏଥିରେ ଜ୍ଞାନେଶ କୁମାରଙ୍କ ଇସ୍ତଫା, ଏସ୍‌ଆଇଆର୍‌କୁ ରଦ୍ଦ କରିବା ଏବଂ ବାଲଟ୍‌ ପେପର ମାଧ୍ୟମରେ ନିର୍ବାଚନ କରିବା ଦାବି ରହିଛି। ଏହି ତିନିଟି ପ୍ରସଙ୍ଗରେ କୌଣସି ସାଲିସ କରାଯିବ ନାହିଁ ବୋଲି ଖଡଗେ କହିଛନ୍ତି।

ଏପଟେ ସୁପ୍ରିମକୋର୍ଟ ଫର୍ମ-୬ରେ କୌଣସି ସଂଶୋଧନକୁ ଅନୁମତି ଦେଇନଥିବା ସୋମବାର ସ୍ପଷ୍ଟ କରିବା ପରେ କଂଗ୍ରେସ ଆହୁରି ଆକ୍ରମଣାତ୍ମକ ହୋଇଛି। ଦଳ ପକ୍ଷରୁ ଦେଶବ୍ୟାପୀ ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଅଭିଯାନ ଘୋଷଣା କରାଯାଇଛି।

କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ କହିବା ଅନୁସାରେ, ନିର୍ବାଚନ ବ୍ୟବସ୍ଥାରେ ସୁଧାର ନଆସିବା ଏବଂ ଜ୍ଞାନେଶ କୁମାର ଇସ୍ତଫା ନଦେବା ପର୍ଯ୍ୟନ୍ତ ଦଳର ଆନ୍ଦୋଳନ ଜାରି ରହିବ।

ଅକ୍ଟୋବର ୧୦ରୁ ନଭେମ୍ବର ୨୬ ମଧ୍ୟରେ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି ବେଣୁଗୋପାଳ କହିଛନ୍ତି। ବ୍ଲକ୍‌ ଓ ଗ୍ରାମପଞ୍ଚାୟତ ସ୍ତରରୁ ଆରମ୍ଭ କରି ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ପଦଯାତ୍ରା ଓ ରାଲି କରାଯିବ। ଏହାସହ ଦିଲ୍ଲୀରେ ଏକ ବଡ଼ ଜନସମାବେଶ ଆୟୋଜନ କରିବାକୁ ମଧ୍ୟ ଯୋଜନା ରହିଛି।

ଏହି ଆନ୍ଦୋଳନକୁ ତୃଣମୂଳ ସ୍ତରରେ ଆହୁରି ତୀବ୍ର କରିବା ପାଇଁ ପିସିସି ସଭାପତି, ପ୍ରଭାରୀ ଓ ସାଧାରଣ ସମ୍ପାଦକମାନଙ୍କୁ କଂଗ୍ରେସ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ