ଭୁବନେଶ୍ୱର, ୩୦/୦୯: ଉପରମୁଣ୍ଡରୁ ମହାନଦୀକୁ ଜଳ ପ୍ରବାହ କିଛିଟା ହ୍ରାସ ପାଇଥିଲେ ମଧ୍ୟ ନରାଜରେ ଜଳସ୍ତର ବିପଦ ସଙ୍କେତ ଛୁଇଁଛି। ହୀରାକୁଦ ଜଳଭଣ୍ଡାରରୁ ପାଣି ଛାଡ଼ିବା ପାଇଁ ଖୋଲା ଥିବା ଗେଟ୍ ସଂଖ୍ୟା ୩୦ରୁ ୧୯କୁ ହ୍ରାସ କରାଯାଇଛି। ଇତିମଧ୍ୟରେ ୧୧ଟି ଗେଟ୍ ବନ୍ଦ କରାଯାଇଛି।
ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକର ଜଳସ୍ତର ଆସନ୍ତା ଦିନେ ଦୁଇଦିନ ପର୍ଯ୍ୟନ୍ତ ପ୍ରାୟ ସ୍ଥିର ରହିବାର ଆଶଙ୍କା ରହିଛି। ଫଳରେ କଟକ, ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ା ଭଳି ଜିଲ୍ଲାର କିଛି ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଆହୁରି କିଛିଦିନ ଲାଗି ରହିପାରେ।
ପାଣିପାଗ ବିଭାଗର ସୂଚନା ଅନୁସାରେ ଏବେ ରାଜ୍ୟରେ ବଡ଼ ଧରଣର ବର୍ଷା ହେବାର ସମ୍ଭାବନା ନାହିଁ। ତେବେ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।
ମଙ୍ଗଳବାର ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୬୭ ଫୁଟ୍ ରହିଥିଲା। ଏହି ସମୟରେ ଉପରମୁଣ୍ଡରୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୩ ହଜାର ୪୯୫ ଘନଫୁଟ୍ ପାଣି ଜଳଭଣ୍ଡାରକୁ ପ୍ରବେଶ କରୁଥିଲା। ଗତକାଲି ୩୦ଟି ଗେଟ୍ ଦେଇ ପାଣି ଛଡ଼ାଯାଉଥିବାବେଳେ ଏବେ ୧୯ଟି ଗେଟ୍ ଖୋଲା ରହିଛି। ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୯୦ ହଜାର ୭୮୬ ଘନଫୁଟ୍ ପାଣି ନିଷ୍କାସିତ ହେଉଛି।
ସେହିପରି ତେଲ ନଦୀରୁ ପ୍ରତି ସେକେଣ୍ଡରେ ୭୨ ହଜାର ୪୬୦ ଘନଫୁଟ୍ ପାଣି ମହାନଦୀରେ ମିଶୁଛି। ଖଇରମାଳରେ ମଧ୍ୟ ଜଳ ପ୍ରବାହ ଜାରି ରହିଛି। ନରାଜରେ ବିପଦ ସଙ୍କେତ ୨୬.୪୧ ମିଟର ଥିବାବେଳେ ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳସ୍ତର ଏହି ସ୍ତରକୁ ଛୁଇଁଛି।
ତେବେ ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା କମିଥିବାରୁ କିଛିଟା ଆଶ୍ୱସ୍ତି ମିଳିଛି। ମୁଣ୍ଡଳିରେ ପୂର୍ବରୁ ଆଶଙ୍କା କରାଯାଉଥିବା ୮ ଲକ୍ଷ ଘନଫୁଟ୍ ଜଳ ପ୍ରବାହ ହେବାର ସମ୍ଭାବନା ଏବେ କମିଛି। ତେବେ ତୁରନ୍ତ ଜଳସ୍ତର ହ୍ରାସ ପାଇବାର ସମ୍ଭାବନା ମଧ୍ୟ କମ୍ ରହିଛି। ପାଣି ଖସିବାକୁ ଆହୁରି ୨ରୁ ୩ ଦିନ ସମୟ ଲାଗିପାରେ।
ଅନ୍ୟପକ୍ଷରେ ବ୍ରାହ୍ମଣୀ ନଦୀର ଜଳସ୍ତର ଜେନାପୁରରେ ବଢ଼ିଥିଲେ ମଧ୍ୟ ଏହା ଏବେ ବି ବିପଦ ସଙ୍କେତଠାରୁ ଯଥେଷ୍ଟ ତଳେ ରହିଛି। ଅନ୍ୟ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତରରେ ଉଲ୍ଲେଖନୀୟ ବୃଦ୍ଧି ହୋଇନାହିଁ।

