ଦୁର୍ଗା ପୂଜାରେ ଆସୁଛି ପ୍ରଳୟ ! ଓଡ଼ିଶାକୁ ପୁଣି ବାତ୍ୟା ଭୟ

ଭୁବନେଶ୍ୱର, ୦୨/୧୦: ଅକ୍ଟୋବର ମଝିଭାଗରେ ବଙ୍ଗୋପସାଗରରେ ଆଉ ଏକ ପାଣିପାଗ ସିଷ୍ଟମ ସୃଷ୍ଟି ହେବାର ସମ୍ଭାବନା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପ୍ରାରମ୍ଭିକ ଆକଳନ ଅନୁସାରେ, ଆସନ୍ତା ୧୨ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ।

ପରବର୍ତ୍ତୀ ସମୟରେ ଏହା ୧୩ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ରର ରୂପ ନେଇପାରେ। ୧୫ ତାରିଖ ସୁଦ୍ଧା ଏହି ସିଷ୍ଟମ ଦକ୍ଷିଣ ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହେବାର ସ୍ବଳ୍ପ ସମ୍ଭାବନା ରହିଥିବା ଆକଳନ କରାଯାଉଛି।

ତେବେ ସିଷ୍ଟମଟି କେତେ ଶକ୍ତିଶାଳୀ ହେବ ଏବଂ ଏହାର ଗତିପଥ କେଉଁ ଦିଗରେ ରହିବ, ତାହା ଏବେଠାରୁ ସ୍ପଷ୍ଟ ହୋଇନାହିଁ। ଏହା ଲଘୁଚାପରେ ସୀମିତ ରହିବ ନା ଅବପାତ, ଗଭୀର ଅବପାତ ଅଥବା ଆହୁରି ଅଧିକ ଘନୀଭୂତ ହେବ, ସେନେଇ ପରବର୍ତ୍ତୀ ମଡେଲ ଆକଳନ ଉପରେ ନଜର ରହିଛି।

ଆନ୍ତର୍ଜାତିକ ପାଣିପାଗ ମଡେଲ ଜିଏଫଏସ୍ ଓ ଇସିଏମଡବ୍ଲ୍ୟୁଏଫ୍‌ ମଧ୍ୟ ବଙ୍ଗୋପସାଗରରେ ଏଭଳି ଏକ ସିଷ୍ଟମର ସଙ୍କେତ ଦେଉଛନ୍ତି। ତେବେ ଦୁଇ ମଡେଲର ଆକଳନରେ କିଛି ପାର୍ଥକ୍ୟ ରହିଛି। ଜିଏଫଏସ୍‌ର ତାଜା ଆକଳନରେ ସିଷ୍ଟମଟି ଗଠନ ହେବାରେ ବିଳମ୍ବ ହୋଇପାରେ ବୋଲି ସଙ୍କେତ ମିଳୁଥିବାବେଳେ, ଇସିଏମଡବ୍ଲ୍ୟୁଏଫ୍‌ର ଆକଳନରେ ୧୬ ତାରିଖ ବେଳକୁ ଏହା ଆନ୍ଧ୍ର ଉପକୂଳ ନିକଟରେ ରହିପାରେ। ତେବେ ଏବେ ସୁଦ୍ଧା କୌଣସି ମଡେଲ୍‌ ଏହାର ନିଶ୍ଚିତ ଗତିପଥ ସ୍ପଷ୍ଟ କରିନାହିଁ।

ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ଅନୁସାରେ, ୧୩ରୁ ୧୫ ତାରିଖ ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ଗଠନ ହୋଇପାରେ। ସିଷ୍ଟମର ଘନୀଭୂତ ହେବା ପାଇଁ ବାତାବରଣ କିଛିଟା ଅନୁକୂଳ ରହିଥିଲେ ମଧ୍ୟ ଏହାର ତୀବ୍ରତା, ପ୍ରଭାବ ଓ ଗତିପଥ ସମ୍ପର୍କରେ ଏବେଠାରୁ ନିଶ୍ଚିତ ଭାବେ କହିହେବ ନାହିଁ। ଆସନ୍ତା ୭ରୁ ୮ ତାରିଖ ମଧ୍ୟରେ ଚିତ୍ର ଅଧିକ ସ୍ପଷ୍ଟ ହୋଇପାରେ।

କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ ଅନୁସାରେ, ଅକ୍ଟୋବର ୨ରୁ ୭ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିପାରେ। ଏହି ସମୟରେ ତାପମାତ୍ରା ଓ ଆର୍ଦ୍ରତା ଅଧିକ ରହିବାରୁ ଗରମ ଅନୁଭୂତ ହେବା ସମ୍ଭାବନା ରହିଛି। କେତେକ ସ୍ଥାନରେ ଅପରାହ୍ନ ସମୟରେ ବଜ୍ରପାତ ସହ ବର୍ଷା ମଧ୍ୟ ହୋଇପାରେ।

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଗଠନ ପାଇଁ ମଧ୍ୟ ଏହି ସମୟରେ କିଛି ଅନୁକୂଳ ପରିସ୍ଥିତି ଦେଖାଯାଉଥିବା ବିଶେଷଜ୍ଞମାନେ କହିଛନ୍ତି। ତେବେ ସିଷ୍ଟମ କେତେ ଘନୀଭୂତ ହେବ କିମ୍ବା କେଉଁ ଦିଗକୁ ଗତି କରିବ, ସେନେଇ ଏବେଠାରୁ ନିଶ୍ଚିତ ଆକଳନ କରିବା ସମ୍ଭବ ନୁହେଁ। ୪ରୁ ୫ ତାରିଖ ବେଳକୁ ମଡେଲଗୁଡ଼ିକରୁ ଏନେଇ ଅଧିକ ସ୍ପଷ୍ଟ ସଙ୍କେତ ମିଳିପାରେ।

ଅନ୍ୟପକ୍ଷରେ, ସମୁଦ୍ର ପୃଷ୍ଠ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବା ସିଷ୍ଟମର ଘନୀଭୂତ ହେବାରେ ସହାୟକ ହୋଇପାରେ ବୋଲି କେତେକ ବିଶେଷଜ୍ଞଙ୍କ ମତ। ଆଣ୍ଡାମାନ ସାଗରରେ ଲଘୁଚାପ ଗଠନ ହେଲେ ଉପକୂଳ ଆଡ଼କୁ ଆସିବା ପାଇଁ ଏହାକୁ ଦୀର୍ଘ ପଥ ଅତିକ୍ରମ କରିବାକୁ ପଡ଼ିବ। ଆଣ୍ଡାମାନରୁ ତାମିଲନାଡୁ ଓ ଆନ୍ଧ୍ର ଉପକୂଳର ଦୂରତା ୧୫୦୦ କିଲୋମିଟରରୁ ଅଧିକ ହୋଇଥିବାବେଳେ ଓଡ଼ିଶା ଉପକୂଳର ଦୂରତା ପ୍ରାୟ ୧୧୦୦ କିଲୋମିଟର।

ଏହି ଦୀର୍ଘ ସମୁଦ୍ର ପଥ ଦେଇ ସିଷ୍ଟମ ଗତି କରିବା ସମୟରେ ଯଦି ପରିବେଶ ଅନୁକୂଳ ରହେ, ତେବେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିପାରେ। ତେବେ ଏହାର ପ୍ରକୃତ ତୀବ୍ରତା ଓ ଗତିପଥ ପାଇଁ ଆଗାମୀ କିଛି ଦିନର ପାଣିପାଗ ମଡେଲ ଆକଳନକୁ ଅପେକ୍ଷା କରିବାକୁ ପଡ଼ିବ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ