ଧସିଗଲା KGF ସୁନା ଖଣିର ମାଟି, ୬୦ ଶ୍ରମିକ ମୃତ

ନୂଆଦିଲ୍ଲୀ: ସୁଦାନରେ ଘଟିଛି ବଡ଼ ଅଘଟଣ। ପଶ୍ଚିମ କୋର୍ଡୋଫାନ୍‌ର ଅଲ-ନୁହୁଦ୍‌ ସହର ନିକଟସ୍ଥ ଅଲ-ଜାରା ସୁନା ଖଣିରେ ଖଣି ଧସିଯିବାରୁ ଅତିକମରେ ୬୦ ଜଣଙ୍କ ମୃତ୍ୟୁ ଘଟିଛି। ଖଣି ଭିତରେ ଏବେ ବି ଅନେକ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି। ଫଳରେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ।

ରିପୋର୍ଟ ଅନୁସାରେ, ଖଣିରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଓ ଉଦ୍ଧାର ଉପକରଣର ଅଭାବ ରହିଥିଲା। ସୁଡ଼ଙ୍ଗଗୁଡ଼ିକ ପରସ୍ପରର ଅତି ନିକଟରେ ଥିବାରୁ ଗୋଟିଏ ସୁଡ଼ଙ୍ଗ ଧସିବା ପରେ ଏହାର ପ୍ରଭାବ ଅନ୍ୟ ସୁଡ଼ଙ୍ଗ ଉପରେ ମଧ୍ୟ ପଡ଼ିଥିବା କୁହାଯାଉଛି।

ଖଣି ଶ୍ରମିକଙ୍କ କହିବା ଅନୁସାରେ, ଅନେକ ଲୋକ ଦୀର୍ଘ ସମୟ ଧରି ଭୂମି ତଳେ ଫସି ରହିଛନ୍ତି। ଶ୍ରମିକମାନେ ସାଧାରଣ ଖନନ ଉପକରଣ ବ୍ୟବହାର କରି ସାରା ରାତି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ତେବେ ପଥର ଓ ମାଟି ହଟାଇବା ପାଇଁ ଭାରୀ ଯନ୍ତ୍ରପାତିର ଆବଶ୍ୟକତା ରହିଛି।

ସୁଦାନରେ ଚାଲିଥିବା ଯୁଦ୍ଧ ଯୋଗୁଁ ଅର୍ଥନୈତିକ ସ୍ଥିତି ଦୁର୍ବଳ ହୋଇପଡ଼ିଛି। ଜୀବିକାର ସୁଯୋଗ କମିବାରୁ ବହୁ ଲୋକ ବିପଜ୍ଜନକ ପାରମ୍ପରିକ ଖଣି କାର୍ଯ୍ୟ ଉପରେ ନିର୍ଭର କରୁଛନ୍ତି।

ସୁଦାନ ଆଫ୍ରିକାର ପ୍ରମୁଖ ସୁନା ଉତ୍ପାଦନକାରୀ ଦେଶ ମଧ୍ୟରୁ ଅନ୍ୟତମ। ଦେଶରେ ବହୁ ପରିମାଣର ସୁନା ପାରମ୍ପରିକ ଓ ବିପଜ୍ଜନକ ପ୍ରଣାଳୀରେ ଉତ୍ତୋଳନ କରାଯାଉଛି। ୨୦୨୩ ଏପ୍ରିଲରୁ ସେନା ଓ ରାପିଡ୍‌ ସପୋର୍ଟ ଫୋର୍ସେସ୍‌ ମଧ୍ୟରେ ଚାଲିଥିବା ସଂଘର୍ଷ ପରେ ସୁନା ଶିଳ୍ପ ଦେଶର ଅର୍ଥନୀତି ଓ ଯୁଦ୍ଧ ସମ୍ପର୍କିତ ଆୟର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହୋଇଛି। ଏହି ସଂଘର୍ଷର ପ୍ରଭାବରେ ଲକ୍ଷ ଲକ୍ଷ ଲୋକ ଖାଦ୍ୟ ସଂକଟର ସମ୍ମୁଖୀନ ହେଉଥିବା ମଧ୍ୟ କୁହାଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ