ଆସୁଛି ବଡ଼ ବାତ୍ୟା ! ୧୦ ରୁ ବଢ଼ିବ ବର୍ଷା !

ଭୁବନେଶ୍ୱର, ୦୬/୦୯ : ସକାଳୁ ସକାଳୁ ଖରାର ପ୍ରକୋପ ଅନୁଭୂତ ହୋଇଥିଲା। ୮ଟା ପରେ ଧୀରେ ଧୀରେ ତାତି ବଢ଼ିବା ସହ ୧୦ଟା ବେଳକୁ ଟାଣ ଖରା ଦେହକୁ ତତାଇ ଦେଇଥିଲା। ଦିନ ବଢ଼ିବା ସହ ତାପମାତ୍ରା ମଧ୍ୟ ବଢ଼ିଥିଲା। ତାତି ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ନାକେଦମ୍ କରିଥିଲା। ପାଣିପାଗ ଏପରି ରହିଥିଲା ଯେ, ଖରାଦିନ ଭଳି ଅନୁଭବ ହୋଇଥିଲା।

ରାଜ୍ୟରେ ସର୍ବାଧିକ ୩୭ ଡିଗ୍ରୀ ତାପମାତ୍ରା ପାରଳାଖେମୁଣ୍ଡିରେ ରେକର୍ଡ ହୋଇଛି। ସେହିପରି ପୁରୀରେ ୩୫.୭ ଡିଗ୍ରୀ, ଚାନ୍ଦବାଲି, ଢେଙ୍କାନାଳ ଓ ଭୁବନେଶ୍ୱରରେ ୩୫.୬ ଡିଗ୍ରୀ, କଟକରେ ୩୫.୪ ଡିଗ୍ରୀ ଏବଂ ଗୋପାଳପୁରରେ ୩୫.୨ ଡିଗ୍ରୀ ତାପମାତ୍ରା ରହିଥିଲା। ନୟାଗଡ଼ ଓ ଭଦ୍ରକରେ ୩୫ ଡିଗ୍ରୀ ଏବଂ ଅନୁଗୋଳରେ ୩୪.୭ ଡିଗ୍ରୀ ରେକର୍ଡ କରାଯାଇଛି। ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାରଦ ୩୨ରୁ ୩୩ ଡିଗ୍ରୀ ଉପରେ ରହିଥିଲା। ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଥିବାରୁ ଗରମ ସହ ଗୁଳୁଗୁଳି ଅଧିକ ଅନୁଭୂତ ହୋଇଥିଲା।

ତେବେ ଏହି ଖରା ମଧ୍ୟରେ ରାଜ୍ୟ ପାଇଁ ଆସିଛି ବର୍ଷାର ଖବର। ଆସନ୍ତା ୯ ତାରିଖରୁ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିପାରେ। ବିଶେଷକରି ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ଅଧିକ ବର୍ଷା ହେବାର ଆଶଙ୍କା ରହିଛି।

ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ୧୦ରୁ ୧୧ ତାରିଖ ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ୧୦ ତାରିଖରୁ ରାଜ୍ୟରେ ବର୍ଷା ବଢ଼ିବା ସମ୍ଭାବନା ରହିଛି।

୯ ତାରିଖରେ ବାଲେଶ୍ୱର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। ଏହାସହ ଉତ୍ତର ଏବଂ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ପରିମାଣ ଅଧିକ ରହିପାରେ। ୧୦ ତାରିଖରେ ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷାର ପୂର୍ବାନୁମାନ ରହିଛି।

ସେହିପରି ୧୧ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ନୟାଗଡ଼ରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଅନ୍ୟପକ୍ଷରେ, ୧୦ ତାରିଖ ବେଳକୁ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ୧୩ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବାର ସମ୍ଭାବନା ମଧ୍ୟ ରହିଛି। ଏହା ମଧ୍ୟରେ ଶୁକ୍ରବାର ବାରିପଦାରେ ୧୭ ମିଲିମିଟର ବର୍ଷା ରେକର୍ଡ ହୋଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ