ତ୍ରିଶୁର, ୦୬/୦୯: କେରଳର ତ୍ରିଶୁର ଜିଲ୍ଲାରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଏଥିରେ ପଡ଼ୋଶୀ ରାଜ୍ୟ ତାମିଲନାଡୁର ୮ ଜଣ ଛାତ୍ରଙ୍କ ଜୀବନ ଯାଇଛି। ଶୁକ୍ରବାର ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛି।
ସୂଚନା ଅନୁସାରେ, ତ୍ରିଶୁର ନିକଟସ୍ଥ କାଇପାମଙ୍ଗଲମ ଅଞ୍ଚଳର ପାନାମ୍ବିକକୁନୁରେ ରାତି ପ୍ରାୟ ୧୧ଟା ୪୦ ମିନିଟ୍ରେ ଏହି ଦୁର୍ଘଟଣା ଘଟିଥିଲା। ଛାତ୍ରମାନଙ୍କୁ ନେଇ ଯାଉଥିବା କାରଟି ରାଜପଥ କଡ଼ରେ ପାର୍କିଂ ହୋଇଥିବା ଅନ୍ୟ ଏକ ଗାଡ଼ିକୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କାରରେ ଥିବା ୮ ଜଣ ଯାକ ଗୁରୁତର ଭାବେ ଆହତ ହୋଇଥିଲେ ଏବଂ ପରେ ସମସ୍ତଙ୍କ ମୃତ୍ୟୁ ଘଟିଥିଲା।
ଖବର ପାଇ ସ୍ଥାନୀୟ ଲୋକଙ୍କ ସହ ପୁଲିସ, ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। କାର ଭିତରେ ଫସିଥିବା ମୃତକଙ୍କୁ ବାହାର କରାଯାଇଥିଲା। ଦୁର୍ଘଟଣାଗ୍ରସ୍ତ କାରଟି ତାମିଲନାଡୁରେ ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି।
ପୁଲିସର ପ୍ରାଥମିକ ସୂଚନା ଅନୁଯାୟୀ, ମୃତକମାନେ ତାମିଲନାଡୁର ଛାତ୍ର ହୋଇଥିବା ସନ୍ଦେହ କରାଯାଉଛି। ଦୁର୍ଘଟଣା ସମୟରେ କାରଟି ଗୁରୁଭାୟୁରରୁ କୋଡୁଙ୍ଗାଲ୍ଲୁର ଦିଗକୁ ଯାଉଥିଲା। ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

