ଭୁବନେଶ୍ୱର, ୦୨/୦୯: ରାଜ୍ୟରେ ଲଘୁଚାପଜନିତ ବର୍ଷାର ପ୍ରଭାବ ଜାରି ରହିଛି। ଆଗାମୀ ଦିନରେ ଉତ୍ତର ଓଡ଼ିଶା ସହ ଉପକୂଳ ଅଞ୍ଚଳର ଅନେକ ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ବିଶେଷକରି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା ୩ ଓ ୪ ତାରିଖରେ ଉପକୂଳ ଏବଂ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି।
ଲଗାତାର ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ମୟୂରଭଞ୍ଜର ବାଙ୍ଗିରିପୋଷିରେ ସର୍ବାଧିକ ୩୦୯.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସାରସକଣାରେ ୨୯୭ ମିମି, ରାଇରଙ୍ଗପୁରରେ ୧୬୩ ମିମି, କୁସୁମିରେ ୧୦୩ ମିମି ଏବଂ ବାରିପଦାରେ ୮୩.୮ ମିମି ବର୍ଷା ହୋଇଛି।
ପ୍ରବଳ ବର୍ଷା ପରେ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବଢ଼ିଛି। ସୁବର୍ଣ୍ଣରେଖା ନଦୀ ଅନେକ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଜାମଶୋଳାଘାଟରେ ନଦୀର ଜଳସ୍ତର ୫୧.୪୪ ମିଟର ରହିଥିବା ବେଳେ ବିପଦ ସଙ୍କେତ ୪୯.୧୬ ମିଟର ରହିଛି। ଅର୍ଥାତ ବିପଦ ସଙ୍କେତଠାରୁ ପ୍ରାୟ ୨ ମିଟର ଉପରେ ଜଳ ପ୍ରବାହିତ ହେଉଛି। ସେହିପରି ରାଜଘାଟରେ ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ଜଳସ୍ତର ୧୧.୧୬ ମିଟରରେ ପହଞ୍ଚିଛି। ନଦୀର ଜଳସ୍ତର ଧୀରେ ଧୀରେ ବଢ଼ୁଥିବାରୁ ଚିନ୍ତା ବଢ଼ିଛି। ଏନ୍ଏଚ୍-୫ ନିକଟରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ୭.୫୬ ମିଟର ରହିଛି।
ବର୍ଷା ଓ ବନ୍ୟାରେ ମୟୂରଭଞ୍ଜ ଜିଲ୍ଲାର ୧୯ଟି ବ୍ଲକ୍ ସହ ବାରିପଦା ପୌରାଞ୍ଚଳ ପ୍ରଭାବିତ ହୋଇଛି। ବାଙ୍ଗିରିପୋଷି ଓ ତିରିଂ ଅଞ୍ଚଳରେ କାନ୍ଥ ଭୁଶୁଡ଼ି ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଏହାସହ ବିଜାତଳା ଅଞ୍ଚଳରୁ ଜଣେ ଖବରକାଗଜ ବିକ୍ରେତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ପ୍ରାଥମିକ ଆକଳନ ଅନୁଯାୟୀ, ବର୍ଷା ଓ ବନ୍ୟାରେ ୨ଟି ପକ୍କା ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥିବା ବେଳେ ୪୪୧ଟି କଚ୍ଚା ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ବନ୍ୟା ମୁକାବିଲା ଓ ଉଦ୍ଧାର କାର୍ଯ୍ୟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର କରାଯାଇଛି।

